ଶୁଭେନ୍ଦୁ ସରକାରରେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ
ପଶ୍ଚିମବଙ୍ଗରେ ଶୁଭେନ୍ଦୁ ଅଧିକାରୀ ସରକାରରେ କ୍ୟାବିନେଟ ବିସ୍ତାର କରିଛି । ରାଜ୍ୟରେ ପ୍ରଥମ ଥର ପାଇଁ ଶାସନ କରୁଥିବା ବିଜେପି କ୍ୟାବିନେଟ ଚୟନରେ ପ୍ରତ୍ୟେକ ବର୍ଗକୁ ପ୍ରାଧାନ୍ୟ ଦେଇଛି । ଶୁଭେନ୍ଦୁ ସରକାରଙ୍କ ପୂର୍ଣ୍ଣାଙ୍ଗ ମନ୍ତ୍ରିମଣ୍ଡଳର ଶପଥଗ୍ରହଣ ହୋଇଛି । ୩୫ ଜଣ ନୂଆ ବିଧାୟକ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ।କୋଲକତାର ଲୋକ ଭବନଠାରେ ରାଜ୍ୟପାଳ ଆର.ଏନ. ରବି ସମସ୍ତ ୩୫ ଜଣ ନୂଆ ମନ୍ତ୍ରୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ।
ଏହି ସମ୍ପ୍ରସାରଣରେ ଅର୍ଜୁନ ସିଂ, ଶଙ୍କର ଘୋଷ, ତାପସ ରାୟ, ମନୋଜ କୁମାର ଓରାଓଁ ଏବଂ ସ୍ବପନ ଦାସଗୁପ୍ତାଙ୍କ ଭଳି ପ୍ରମୁଖ ନେତାମାନେ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ।ଏହି ନୂଆ ମନ୍ତ୍ରୀଙ୍କ ସାମିଲ ହେବା ପରେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ନେତୃତ୍ୱରେ ମନ୍ତ୍ରିମଣ୍ଡଳର ମୋଟ ସଦସ୍ୟ ସଂଖ୍ୟା ୬ ରୁ ୪୧ କୁ ବୃଦ୍ଧି ପାଇଛି । ୨୯୪ ଆସନ ବିଶିଷ୍ଟ ପଶ୍ଚିମବଙ୍ଗ ବିଧାନସଭାରେ ସର୍ବାଧିକ ୪୪ ଜଣ ମନ୍ତ୍ରୀ ରହିପାରିବେ ।
ଶପଥ ନେଇଥିବା ୩୫ ଜଣଙ୍କ ମଧ୍ୟରୁ ୧୩ ଜଣ କ୍ୟାବିନେଟ ମନ୍ତ୍ରୀ, ୩ ଜଣ ସ୍ୱାଧୀନ ଦାୟିତ୍ୱ ବିଶିଷ୍ଟ ରାଷ୍ଟ୍ରମନ୍ତ୍ରୀ ଏବଂ ୧୯ ଜଣ ରାଷ୍ଟ୍ରମନ୍ତ୍ରୀ ଭାବେ ଦାୟିତ୍ୱ ପାଇଛନ୍ତି । ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜେପିର ବିଜୟ ଏବଂ ଶୁଭେନ୍ଦୁ ଅଧିକାରୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର ପ୍ରାୟ ତିନି ସପ୍ତାହ ପରେ ଏହି ବଡ଼ ଧରଣର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରାଯାଇଛି ।
