ଆଜି ବନ୍ଦ ରହିବ ଔଷଧ ଦୋକାନ
ଅନ୍ଲାଇନ୍ରେ ଔଷଧ ବିକ୍ରି ବିରୋଧରେ ଆଜି ଦେଶବ୍ୟାପୀ ଔଷଧ ଦୋକାନ ବନ୍ଦ ରହିବ। ଅଲ୍ ଇଣ୍ଡିଆ ଅର୍ଗାନାଇଜେସନ୍ ଅଫ୍ କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ (ଏଆଇଓସିଡି) ପକ୍ଷରୁ ବନ୍ଦ ଡାକରା ଦିଆଯାଇଥିବା ବେଳେ ଓଡ଼ିଶାରେ ଉତ୍କଳ କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ ଆସୋସିଏସନ୍ ଏହାକୁ ସମର୍ଥନ ଜଣାଇଛି। ଫଳରେ ରାଜ୍ୟର ପ୍ରାୟ ୩୦ ହଜାର ଔଷଧ ଦୋକାନ ବନ୍ଦ ରହିବ। ବନ୍ଦକୁ ନଜରରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ସାଧାରଣ ଲୋକ ଓ ଗୁରୁତର ରୋଗୀ ଯେପରି କୌଣସି ସମସ୍ୟାର ସମ୍ମୁଖୀନ ନ ହେବେ ସେଥିପାଇଁ ରାଜ୍ୟ ଭେଷଜ ନିର୍ଦ୍ଦେଶକ ସମସ୍ତ ଡ୍ରଗ୍ସ ଇନ୍ସପେକ୍ଟର ଓ ସହାୟକ ଡ୍ରଗ୍ସ ଇନ୍ସପେକ୍ଟରଙ୍କୁ ୭ସୂତ୍ରୀ ନିର୍ଦ୍ଦେଶ ପାଳନ କରିବାକୁ କହିଛନ୍ତି।
ନିର୍ଦ୍ଦେଶାବଳୀ ଅନୁସାରେ, ଜରୁରି ଓ ଜୀବନ ରକ୍ଷାକାରୀ ଔଷଧର ଉପଲବ୍ଧତା ଉପରେ ନଜର ରଖିବା, ଡାକ୍ତରଖାନା ଓ କ୍ଲିନିକ୍ ସହ ଜଡ଼ିତ ଥିବା ଫାର୍ମାସି ଓ ୨୪ଘଣ୍ଟିଆ ଔଷଧ ଦୋକାନକୁ କାର୍ଯ୍ୟକ୍ଷମ ରଖିବା ଓ ଜନସାଧାରଣଙ୍କ ଚାହିଦାକୁ ନଜରରେ ରଖି ପର୍ଯ୍ୟାପ୍ତ ମାନବ ସମ୍ବଳ ନିୟୋଜିତ କରିବାକୁ କୁହାଯାଇଛି। ଆବଶ୍ୟକ ପଡ଼ିଲେ ଜିଲ୍ଲା ପ୍ରଶାସନ ଓ ପୁଲିସ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ନିର୍ଦ୍ଦିଷ୍ଟ ଔଷଧ ଦୋକାନ ଖୋଲିବା ଓ ଏହାର ପରିଚାଳନା କରିବାକୁ ସ୍ପଷ୍ଟ କରାଯାଇଛି। ବନ୍ଦ ପୂର୍ବରୁ ଖୁଚୁରା ଔଷଧ ଦୋକାନରେ ଯେପରି ପର୍ଯ୍ୟାପ୍ତ ପରିମାଣର ଔଷଧ ମହଜୁଦ ରହିବ, ସେଥିପାଇଁ ହୋଲ୍ସେଲର ଓ ବିତରକଙ୍କ ସହ ସମନ୍ବୟ ରଖିବା, ବନ୍ଦ ସମୟରେ କୌଣସି ଜରୁରି ପରିସ୍ଥିତିର ମୁକାବିଲା କରିବା ପାଇଁ ସ୍ଥାନୀୟ ଔଷଧ ସଂଘ ସହ ଯୋଗାଯୋଗ ରଖିବା ଲାଗି ପରାମର୍ଶ ଦିଆଯାଇଛି।
