ବ୍ରହ୍ମପୁର ଘଟଣାକୁ ନେଇ ଉଦବେଗ ପ୍ରକାଶ କଲେ ନବୀନ ପଟ୍ଟନାୟକ

ଅରାଜକତାର ଭୟଙ୍କର ଚିତ୍ର ଓଡ଼ିଶା ଦେଖୁଛି

ବ୍ରହ୍ମପୁର ଘଟଣାକୁ ନେଇ ଉଦବେଗ ପ୍ରକାଶ କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । କହିଛନ୍ତି,ଅରାଜକତାର ଭୟଙ୍କର ଚିତ୍ର ଓଡ଼ିଶା ଦେଖୁଛି । ବିଜେପିର ଶାସନ ନୁହେଁ ତ ଲାଗୁଛି ଗୁଣ୍ଡାରାଜ୍ ଚାଲିଛି । ବ୍ରହ୍ମପୁରର ବିଚ୍ ରାସ୍ତାରେ ଜଣେ ଯୁବକ ଏବଂ ମହିଳାଙ୍କୁ ସର୍ବସମ୍ମୁଖରେ ଅତି ନିର୍ମମ ଭାବେ ପିଟି ପିଟି ମରଣାନ୍ତକ ଆକ୍ରମଣ କରାଯିବାର ଦୃଶ୍ୟ ଅତ୍ୟନ୍ତ ଅମାନୁଷିକ। ସାରା ଓଡ଼ିଶାବାସୀଙ୍କୁ ଏହା ଆତଙ୍କିତ ଓ ବିଚଳିତ କରିଛି।। ଏହା ସହ କହିଛନ୍ତି, ଘଟଣା ଦେଖିଲେ ଲାଗୁଛି ବିଜେପି ସରକାର ଓଡ଼ିଶାକୁ ଅପରାଧୀଙ୍କ ହାତକୁ ଟେକି ଦେଇଛି। ଭୟଶୂନ୍ୟ ହୋଇ ଅପରାଧିମାନେ ଅତ୍ୟନ୍ତ ନୃଶଂସ କାଣ୍ଡ ଘଟାଉଛନ୍ତି । ପୋଲିସ ପ୍ରଶାସ ଏବଂ ଆଇନ କାନୁନର ବ୍ୟବସ୍ଥା କୁଆଡେ ଯାଇଛି ବୋଲି ପ୍ରଶ୍ନ କରିଛନ୍ତି । ବିଜେପି ସରକାର ଉତ୍ସବରେ ମାତି ସାଧାରଣ ଜନତାଙ୍କ ସୁରକ୍ଷାକୁ ଆଉ କେତେ ବିପନ୍ନ କରିବ? ଓଡ଼ିଶା କେତେ ଆଉ ଲଜ୍ଜିତ ହେବ? ମିଛ ବାହାସ୍ଫୋଟରେ ସରକାର ଚାଲେନି, ଲୋକଙ୍କୁ ସୁରକ୍ଷା ଦରକାର ବୋଲି କହିଛନ୍ତି ନବୀନ । ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ଓ ଗୁଣ୍ଡାରାଜ୍ ଶାସନ ପାଇଁ ଓଡ଼ିଶା ସାରା ଦେଶରେ ନିନ୍ଦିତ ହେଉଛି। ବିଜେପି ସରକାର ଅପରାଧୀଙ୍କୁ ସୁରକ୍ଷା ଦେବା ଛାଡୁ । ତୁରନ୍ତ ଦୋଷୀଙ୍କ ବିରୋଧରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ନେଇ ଦାବି କରିଛନ୍ତି ନବୀନ ପଟ୍ଟନାୟକ ।

Leave a Reply

Your email address will not be published. Required fields are marked *