ଆସନ୍ତା ବର୍ଷରୁ ଅନଲାଇନରେ ହେବ ନିଟ ୟୁଜି ପରୀକ୍ଷା
ପ୍ରଶ୍ନପତ୍ର ଲିକ ପରେ ବ୍ୟବସ୍ଥାରେ ହେବ ବଡ଼ ପରିବର୍ତ୍ତନ । ଆସନ୍ତା ବର୍ଷରୁ ନିଟ ୟୁଜି ପରୀକ୍ଷା ଅନଲାଇନରେ ହେବ । ଏନେଇ ପ୍ରେସମିଟରେ କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରଶ୍ନପତ୍ର ଲିକ ମାମଲାରେ ବ୍ୟବସ୍ଥାରେ ତ୍ରୁଟି ଥିବା ମାନିଛନ୍ତି କେନ୍ଦ୍ରମନ୍ତ୍ରୀ । ତେବେ ପରୀକ୍ଷାର୍ଥୀଙ୍କ ହକରୁ କୌଣସି ପରିସ୍ଥିତିରେ ବଞ୍ଚିତ ହେବେ ନାହିଁ ବୋଲି ସେ କହିଛନ୍ତି । ସେପଟେ ନିଟ ପରୀକ୍ଷା ବାତିଲ ପରେ ଜୀବନ ହାରିଛନ୍ତି ଆଉ ଜଣେ ଛାତ୍ର ।ଆସନ୍ତା ବର୍ଷରୁ ଅନଲାଇନରେ ହେବ ନିଟ ପରୀକ୍ଷା। ପାରମ୍ପରିକ ଓଏମଆର ଆଧାରିତ ପଦ୍ଧତି ବଦଳରେ ନିଟ ୟୁଜି ପରୀକ୍ଷା କଂପ୍ୟୁଚର ଆଧାରିତ ପରୀକ୍ଷା ହେବ।
ନିଟ ୟୁଜି ୨୦୨୬ ପ୍ରଶ୍ନପତ୍ର ଲିକ ନେଇ ଉପୁଜିଥିବା ବିବାଦ ଭିତରେ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ବାତିଲ ହୋଇଥିବା ନିଟ ୟୁଜି ପରୀକ୍ଷା ଜୁନ୍ ୨୧ ରେ ପୁଣିଥରେ ହେବ। ଜୁନ୍ ୧୪ ସୁଦ୍ଧା ପରୀକ୍ଷାର୍ଥୀଙ୍କୁ ନୂଆ ଆଡମିଟ୍ କାର୍ଡ ମିଳିବ।ସେମାନଙ୍କୁ କୌଣସି ଅଧିକ ଦେୟ ଦେବାକୁ ପଡ଼ିବ ନାହିଁ। ପରୀକ୍ଷାର୍ଥୀଙ୍କ ମାନସିକ ଚାପ କମାଇବାକୁ ପୁନଃ ପରୀକ୍ଷାରେ ୧୫ ମିନିଟ୍ ଅଧିକ ସମୟ ମିଳିବ। ଏହାସହ ସେମାନଙ୍କୁ ନିଜ ପସନ୍ଦର ପରୀକ୍ଷା କେନ୍ଦ୍ର ବାଛିବାକୁ ସୁଯୋଗ ମିଳିବ। ପରୀକ୍ଷା ପରିଚାଳନାରେ ଦୁର୍ନୀତି କରୁଥିବା ଏଜୁକେସନ୍ ମାଫିଆଙ୍କ ବିରୋଧରେ ସରକାର ଶୂନ୍ୟ ସହନଶୀଳତା ନୀତି ଆପଣାଇବେ।
କୌଣସି ଅଯୋଗ୍ୟ ପ୍ରାର୍ଥୀ ଯେପରି ମେଧାବୀଙ୍କ ସିଟ୍ ହଡ଼ପ ନକରନ୍ତି, ତାହା ସରକାର ନିଶ୍ଚିତ କରିବେ।ପ୍ରଶ୍ନପତ୍ର ଲିକର ମୂଳ କାରଣ ଓଏମଆର ସିଷ୍ଟମ ବୋଲି ଚିହ୍ନଟ କରାଯାଇଛି। ତେଣୁ ଆସନ୍ତାବର୍ଷରୁ ନିଟ ୟୁଜି କମ୍ପୁଟର ଭିତ୍ତିକ ପରୀକ୍ଷା ମୋଡରେ ହେବ। ରାଧାକୃଷ୍ଣନ କମିଟି ସୁପାରିଶ ସତ୍ତ୍ୱେ ବ୍ୟବସ୍ଥାରେ ତ୍ରୁଟି ରହିଯାଇଥିବା ଶିକ୍ଷା ମନ୍ତ୍ରଣାଳୟ ସ୍ୱୀକାର କରିଛି। ଦାୟିତ୍ବ ନେଇ ବ୍ୟବସ୍ଥାକୁ ସୁଧାରିବାକୁ ସେ କହିଛନ୍ତି।
