ଏପ୍ରିଲ୍ ସୁଦ୍ଧା ସିଟ୍ ସଂରକ୍ଷଣ ଶେଷ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

୨୦୨୭ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ

୨୦୨୭ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ । ଏପ୍ରିଲ୍ ସୁଦ୍ଧା ସିଟ୍ ସଂରକ୍ଷଣ ଶେଷ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ । ସରପଞ୍ଚଙ୍କ ଠାରୁ ଜିଲ୍ଲା ପରିଷଦ, କାହା ପାଇଁ କେଉଁ ସିଟ୍ ସଂରକ୍ଷଣ ରହିବ ହେବ ଚିହ୍ନଟ । ୫୦% ମହିଳାଙ୍କ ପାଇଁ ସଂରକ୍ଷଣ ହେବ । ଏପ୍ରିଲ୍ ୧୭ ସୁଦ୍ଧା ଆପତ୍ତି ଅଭିଯୋଗ କରିପାରିବେ ଜନସାଧାରଣ । ଆସନ୍ତାବର୍ଷ ହେବାକୁ ଥିବା ପଞ୍ଚାୟତ ନିର୍ବାଚନ ପାଇଁ ଓଡ଼ିଶା ସରକାର ପ୍ରକ୍ରିୟା ତ୍ୱରାନ୍ୱିତ କରିଛନ୍ତି । ଏଥିପାଇଁ ଏପ୍ରିଲ୍ ଶେଷ ସୁଦ୍ଧା ସମସ୍ତ ସିଟ୍ ସଂରକ୍ଷଣ ପ୍ରକ୍ରିୟା ଶେଷ କରିବାକୁ ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ।୨୦୨୭ ଜାନୁଆରୀ-ଫେବୃଆରୀ ବେଳକୁ ପଞ୍ଚାୟତ ନିର୍ବାଚନ ହେବାର ସମ୍ଭାବନା ଥିବାରୁ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ଆରମ୍ଭ ହୋଇଛି। ଓ୍ୱାର୍ଡ ସଭ୍ୟ, ସରପଞ୍ଚ, ପଞ୍ଚାୟତ ସମିତି ସଭ୍ୟ/ଅଧ୍ୟକ୍ଷ, ଏବଂ ଜିଲ୍ଲା ପରିଷଦ ସଭ୍ୟ ଓ ସଭାପତି ପଦବୀ ପାଇଁ ସଂରକ୍ଷଣ ତାଲିକା ପ୍ରସ୍ତୁତ କରାଯିବ। ଏଥିରେ ଏସସି , ଏସଟି, ପଛୁଆ ବର୍ଗ ଏବଂ ୫୦% ମହିଳାଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେବ । ଏପ୍ରିଲ୍ ୭ରେ ପ୍ରାଥମିକ ସଂରକ୍ଷଣ ତାଲିକା ପ୍ରକାଶ ପାଇବ। ଏପ୍ରିଲ୍ ୧୭ରେ ଆପତ୍ତି ଏବଂ ଅଭିଯୋଗ ଦାଖଲ କରିବାର ଶେଷ ତାରିଖ । ଏପ୍ରିଲ୍ ୨୪ରୁ୨୭ ଅଭିଯୋଗଗୁଡ଼ିକର ସମାଧାନ କରାଯିବ । ଏପ୍ରିଲ୍ ୨୯-୩୦ରେ ରାଜ୍ୟ ନିର୍ବାଚନ କମିଶନଙ୍କୁ ଚୂଡ଼ାନ୍ତ ତାଲିକା ପ୍ରଦାନ କରାଯିବ। ସରକାର ସ୍ପଷ୍ଟ କରିଛନ୍ତି ସମସ୍ତ ପ୍ରକ୍ରିୟା ପଞ୍ଚାୟତ ନିର୍ବାଚନ ନିୟମ ଅନୁସାରେ ହେବା ଉଚିତ୍ । ଯେପରି ଶେଷ ମୁହୂର୍ତ୍ତରେ କୌଣସି ଅସୁବିଧା ନହୁଏ, ସେଥିପାଇଁ ଜିଲ୍ଲା ପ୍ରଶାସନକୁ ଏହି କଡ଼ା ସିଡ୍ୟୁଲ୍ ମଧ୍ୟରେ କାମ ସାରିବାକୁ କୁହାଯାଇଛି। ଏହାଦ୍ୱାରା ନିର୍ବାଚନ କମିଶନ ନିର୍ବାଚନ ପରିଚାଳନା ପାଇଁ ଯଥେଷ୍ଟ ସମୟ ପାଇବେ।

Leave a Reply

Your email address will not be published. Required fields are marked *