୧୬ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ବାଜିଲା ମୋହର

୧୬ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ବାଜିଲା ମୋହର

ଓଡ଼ିଶାର ମେଡ଼ିକାଲ, ଇଞ୍ଜିନିଅରିଂ, ଅନ୍ୟାନ୍ୟ ଉଚ୍ଚଶିକ୍ଷା ଓ ପ୍ରଯୁକ୍ତିବିଦ୍ୟା ଶିକ୍ଷା ପାଠ୍ୟକ୍ରମରେ ନାମଲେଖା ପାଇଁ ସଂରକ୍ଷଣ ନୀତିରେ ଆଜି ରାଜ୍ୟ କ୍ୟାବିନେଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି।  ଏହି ନିଷ୍ପତ୍ତି ଦ୍ବାରା ରାଜ୍ୟର ଅନୁସୂଚିତ ଜନଜାତି ୨୨.୫୦ ପ୍ରତିଶତ, ଅନୁସୂଚିତ ଜାତି ୧୬.୨୫ ପ୍ରତିଶତ ଏବଂ ସାମାଜିକ ଓ ଶିକ୍ଷାଗତ ଭାବେ ପଛୁଆବର୍ଗ  ଛାତ୍ରଛାତ୍ରୀମାନେ ୧୧.୨୫ ପ୍ରତିଶତ ସଂରକ୍ଷଣ ପାଇବେ ।
ଏହି ସଂରକ୍ଷଣ ବ୍ୟବସ୍ଥା ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ, ସେମାନଙ୍କର ଅନୁବନ୍ଧିତ କଲେଜ ଓ ଶିକ୍ଷାନୁଷ୍ଠାନ, ଆଇ.ଟି.ଆଇ ଏବଂ ପଲିଟେକନିକ୍ ଗୁଡିକରେ ପ୍ରଦାନ କରାଯାଉଥିବା ଇଞ୍ଜିନିଅରିଂ, ଟେକ୍ନୋଲୋଜି, ମ୍ୟାନେଜ୍‌ମେଣ୍ଟ, କମ୍ପ୍ୟୁଟର ଆପ୍ଲିକେସନ୍, ମେଡିସିନ୍, ସର୍ଜରୀ, ଡେଣ୍ଟାଲ, ନର୍ସିଂ, ଫାର୍ମାସି, ଆନୁସଙ୍ଗିକ ସ୍ୱାସ୍ଥ୍ୟ ବିଜ୍ଞାନ, ପ୍ରାଣିଚିକିତ୍ସା ବିଜ୍ଞାନ, ଆୟୁର୍ବେଦ, ହୋମିଓପ୍ୟାଥି, ଏଗ୍ରିକଲ୍ଚର ଆଣ୍ଡ ଆଲାଏଡ୍‌ ସାଇନ୍ସେସ୍, ଆର୍କିଟେକ୍‌ଚର୍, ପ୍ଲାନିଙ୍ଗ୍‌, ସିନେମାଟିକ ଆର୍ଟ ଆଣ୍ଡ ଟେକ୍ନୋଲୋଜି ଆଦି ଶିକ୍ଷାନୁଷ୍ଠାନରେ କାର୍ଯ୍ୟକାରୀ  ହେବ । 

ଏହା ସହିତ ରାଜ୍ୟ ସରକାରଙ୍କ ଦ୍ବାରା ସମୟ ସମୟରେ ବିଜ୍ଞପ୍ତି ପ୍ରକାଶିତ ଅନ୍ୟ ଯେ କୌଣସି ପାଠ୍ୟକ୍ରମ ମାନଙ୍କରେ ସ୍ନାତକ ଓ ସ୍ନାତକୋତ୍ତର ସ୍ତରରେ ସାର୍ଟିଫିକେଟ, ଡିପ୍ଲୋମା ଓ ଡିଗ୍ରୀ ପ୍ରଦାନ କରାଯାଉଥିବା କ୍ଷେତ୍ରରେ ମଧ୍ୟ ଏହି ନୂତନ ସଂରକ୍ଷଣ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ ।
ଏଠାରେ କହିରଖିବାକୁ ଚାହୁଁ ଯେ,  ରାଜ୍ୟରେ ଅନୁସୂଚିତ ଜନଜାତିଙ୍କ ସଂଖ୍ୟା ୨୨ ପ୍ରତିଶତରୁ ଅଧିକ ଥିଲେ ମଧ୍ୟ ଦୀର୍ଘଦିନ ଧରି ରାଜ୍ୟର ବୈଷୟିକ, ବୃତ୍ତିଗତ, ମେଡିକାଲ ଓ ଆନୁସଙ୍ଗିକ ପାଠ୍ୟକ୍ରମରେ ସେମାନଙ୍କ ପାଇଁ ସଂରକ୍ଷଣ ମାତ୍ର ୧୨ ପ୍ରତିଶତ ଥିଲା। 

ସେହିପରି ଅନୁସୂଚିତ ଜାତିଙ୍କ ସଂଖ୍ୟା ୧୭ ପ୍ରତିଶତରୁ ଅଧିକ ଥିଲେ ମଧ୍ୟ ସେମାନଙ୍କ ପାଇଁ ମାତ୍ର ୮ ପ୍ରତିଶତ ସଂରକ୍ଷଣ ଥିଲା । ସେହିପରି ସାମାଜିକ ଓ ଶିକ୍ଷାଗତ ପଛୁଆ ବର୍ଗ ମାନଙ୍କ ପାଇଁ କୌଣସି ସଂରକ୍ଷଣ ନଥିଲା । ସାମାଜିକ ନ୍ୟାୟ ପ୍ରଦାନ ଓ ସଶକ୍ତିକରଣ କ୍ଷେତ୍ରରେ ଏହି ପାର୍ଥକ୍ୟ ସମସ୍ୟା ସୃଷ୍ଟି କରୁଥିଲା ।
ସ୍ୱାଧୀନତାର ୭୮ ବର୍ଷ ମଧ୍ୟରେ ମୁଖ୍ୟସ୍ରୋତରୁ ବାହାରେ ଥିବା ଏହି ବର୍ଗର ଜନସାଧାରଣ ଓ ଛାତ୍ରଛାତ୍ରୀଙ୍କ ଅଧିକାର’ର ସୁରକ୍ଷା ପାଇଁ ଅନେକ ଆନ୍ଦୋଳନ, ଦାବୀ ଓ ସଚେତନତା ସୃଷ୍ଟି ହୋଇଥିଲେ ମଧ୍ୟ ତାଙ୍କର ସଂଖ୍ୟା ଅନୁପାତରେ ସଂରକ୍ଷଣ ପାଇଁ କୌଣସି ସରକାର ଏପରି ପଦକ୍ଷେପ ନେଇ ନଥିଲେ। 


ମୁଖ୍ୟମନ୍ତ୍ରୀ କହିଛନ୍ତି, ମୋ ପାଇଁ ବ୍ୟକ୍ତିଗତ ଭାବେ ଅତ୍ୟନ୍ତ ଆନନ୍ଦର ବିଷୟ ଯେ, ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀ ଙ୍କ ନେତୃତ୍ୱରେ ଆମେ ଏହି ଏସଟି, ଏସସି ଓ ପଛୁଆ ବର୍ଗ ପିଲାମାନଙ୍କର ଶିକ୍ଷାଗତ ଅଧିକାର ଓ ସଶକ୍ତିକରଣ ପାଇଁ ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇପାରିଛୁ । ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ଆମର ଏହି ପଦକ୍ଷେପ ଏକ ବଳିଷ୍ଠ ମାଧ୍ୟମ ହେବ । 
ସୂଚନାଯୋଗ୍ୟ ଯେ, ଅଣ୍ଡର ଗ୍ରାଜୁଏଟ୍ ଓ ପୋଷ୍ଟ ଗ୍ରାଜୁଏଟ କୁ ମିଶାଇ ରାଜ୍ୟର ସମୁଦାୟ ମେଡ଼ିକାଲ ସିଟ ସଂଖ୍ୟା ୨୪୨୧ । ଏହି ନୂତନ ସଂରକ୍ଷଣ ନୀତି କାର୍ୟ୍ୟକାରୀ ହେବା ପରେ ଏଥିମଧ୍ୟରୁ ଅନୁସୂଚିତ ଜନଜାତିଙ୍କ ପାଇଁ ସିଟ ସଂଖ୍ୟା ୨୯୦ ରୁ ବୃଦ୍ଧି ପାଇ ୫୪୫ରେ ପହଞ୍ଚିବ। 
ଅନୁସୂଚିତ ଜାତି  ଙ୍କ ପାଇଁ ସିଟ ସଂଖ୍ୟା ୧୯୩ରୁ ବୃଦ୍ଧି ପାଇ ୩୯୩ ହେବ । ସେହିପରି ସାମାଜିକ ଓ ଶିକ୍ଷାଗତ ଭାବେ ପଛୁଆବର୍ଗ ର ଛାତ୍ରଛାତ୍ରୀମାନଙ୍କ ପାଇଁ ୨୭୨ ସିଟ ସଂରକ୍ଷିତ ରହିବ । ପୂର୍ବରୁ ଏହିସଂଖ୍ୟା ଶୂନ ଥିଲା । 
ସେହିଭଳି ରାଜ୍ୟରେ ସମୁଦାୟ ଇଞ୍ଜିନିଅରିଂ ସିଟ ସଂଖ୍ୟା ୪୪,୫୭୯ ମଧ୍ୟରୁ ଅନୁସୂଚିତ ଜନଜାତି ଙ୍କ ପାଇଁ ଆସନ ସଂଖ୍ୟା ୫,୩୪୯ରୁ ବୃଦ୍ଧି ପାଇ ୧୦,୦୩୦ ହେବ । ଅନୁସୂଚିତ ଜାତି ଙ୍କ ପାଇଁ ଆସନ ସଂଖ୍ୟା ୩,୫୬୬ରୁ ୭୨୪୪କୁ ବୃଦ୍ଧି ପାଇବ । ସେହିପରି ସାମାଜିକ ଓ ଶିକ୍ଷାଗତ ଭାବେ ପଛୁଆବର୍ଗ ର ଛାତ୍ରଛାତ୍ରୀମାନଙ୍କ ପାଇଁ ୫୦୧୫ ସଂରକ୍ଷିତ ରହିବ ।  ପୂର୍ବରୁ ଏହିସଂଖ୍ୟା ଶୂନ ଥିଲା ।

Leave a Reply

Your email address will not be published. Required fields are marked *