୧୮୦ ମିଲି ପର୍ଯ୍ୟନ୍ତ ମଦ ଟେଟ୍ରା ପ୍ୟାକରେ ଉପଲବ୍ଧ ହେବ
ଅବକାରୀ ବିଭାଗର ନୂଆ ଗାଇଡଲାଇନ । ଏଣିକି ଟେଟ୍ରା ପ୍ୟାକରେ ମଦ ମିଳିବ । ଟେଟ୍ରା ପ୍ୟାକରେ ରହିବ ୬ଟି ସୁରକ୍ଷା ଲେୟର । ୧୮୦ ମିଲି ପର୍ଯ୍ୟନ୍ତ ମଦ ଟେଟ୍ରା ପ୍ୟାକରେ ଉପଲବ୍ଧ ହେବ। ନୂଆ ଗାଇଡଲାଇନ ଅନୁସାରେ, ପୁରୀ ବେଳାଭୂମିରେ ମଦ ଦୋକାନ ଖୋଲିବାକୁ ଅନୁମତି ମିଳିବ ନାହିଁ। ହେଲେ ରାଜ୍ୟର ଅନ୍ୟାନ୍ୟ ବେଳାଭୂମିରେ OTDCକୁ ବିକ୍ରି ପାଇଁ ଅନୁମତି ଦିଆଯାଇଛି। ବିଭିନ୍ନ ଇକୋ ରିଟ୍ରିଟରେ ମଧ୍ୟ ମଦ କୁଡ଼ିଆ ଖୋଲାଯାଇ ମଦ ବିକ୍ରି ହେବ । ଓଟିଡିସି ସିଧାସଳଖ ମଦ କୁଡିଆ ଖୋଲି ମଦ ବିକ୍ରି କରିପାରିବ ନଚେତ ଆଉ କାହାରିକୁ ଏହି ମଦ କୁଡିଆ ଖୋଲି ଚଳାଇବାର ଦାୟିତ୍ଵ ମଧ୍ୟ ଦେଇ ପାରିବ । ବାର୍ଷିକ ଲାଇସେନ୍ସ ଫି’ ୭୫ ହଜାର ଟଙ୍କା ମାତ୍ର ରହିବ । ମଦ କୁଡିଆ ଲାଇସେନ୍ସକୁ ସ୍ବତନ୍ତ୍ର ଭାବରେ ‘ଅନ ରେଷ୍ଟୁରାଣ୍ଟ’ ବର୍ଗରେ ନିଆଯିବ । ଏଥିପାଇଁ ଆବଶ୍ୟକ ସମସ୍ତ ଭିଭିଭୂମି ଯଥା ବିଜୁଳି ସଂଯୋଗ, ପାଣି ସଂଯୋଗ, ବର୍ଜ୍ୟ ପରିଚାଳନା ଓଟିଡିସି କରିବ ।
ତେବେ ଏ ନେଇ ପ୍ରତିକ୍ରିୟା ରଖି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ଟେଟ୍ରା ପ୍ୟାକ୍ ୨୦୧୪ରୁ ପଲିସିରେ ଅଛି । ଯଦି କୌଣସି ଭେଣ୍ଡର କିମ୍ବା କମ୍ପାନୀ ଚାହିଁବେ ତେବେ ସେମାନେ ଟେଟ୍ରା ପ୍ୟାକ୍ କରିପାରିବେ । ସେମାନଙ୍କ ପାଖରେ ବିଭିନ୍ନ ପ୍ରକାର ଅପସନ ଅଛି, ସେମାନେ କେଉଁଟାକୁ ଗ୍ରହଣ କରିବେ ତାହା ତାଙ୍କ ଉପରେ ନିର୍ଭର କରେ । ଯିଏ ବ୍ୟବସାୟୀ ତାଙ୍କୁ ବାନ୍ଧିକରି କାମ କରାଯାଏନି । ସରକାର ରେଗୁଲେସନ ପାର୍ଟକୁ ଦେଖନ୍ତି । ଅବୈଧ ବିକ୍ରି ଉପରେ ନଜର ରଖିଥାନ୍ତି । ବିରୋଧୀ ଏହି କଥାକୁ ନେଇ ଜିରାରୁ ଶିରା ବାହାର କରୁଛନ୍ତି, ସେମାନେ ପ୍ରଥମେ ପଲିସିଟିକୁ ଭଲ ଭାବେ ପଢନ୍ତୁ ବୋଲି ଅବକାରୀ ମନ୍ତ୍ରୀ କହିଛନ୍ତି ।
