ପାଲମର ଏକ କୋଠାରେ ଭୟଙ୍କର ଅଗ୍ନିକାଣ୍ଡ : ୯ ମୃତ
ଦିଲ୍ଲୀରୁ ଛାତି ଦୋହଲାଇଦେଲା ଭଳି ଘଟଣା ସାମ୍ନାକୁ ଆସିଛି । ଆଜି ସକାଳେ ରାଜଧାନୀ ପାଲମ ଅଞ୍ଚଳରେ ଥିବା ଏକ ୪ ମହଲା କୋଠାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଅତି କମରେ ଏହି ଦୁର୍ଘଟଣାରେ ୯ ଜଣଙ୍କର ଜୀବନ ଚାଲିଯାଇଛି । କସମେଟିକ୍ ଦୋକାନରେ ନିଆଁ ଲାଗିଯିବାରୁ ଉପର ମହଲାକୁ ଶୀଘ୍ର ବ୍ୟାପିଯାଇଥିଲା ।ସୂଚନାନୁଯାୟୀ, ଅଗ୍ନିକାଣ୍ଡ ସମୟରେ ଘର ଭିତରେ ୧୮ ଜଣ ଥିଲେ । ନିଆଁ ଲାଗିବା ଫଳରେ ସେମାନଙ୍କ ମଧ୍ୟରୁ କିଛି ଲୋକ ଉପରୁ ଡେଇଁ ନିଜ ଜୀବନ ବଞ୍ଚାଇବାକୁ ଚେଷ୍ଟା କରିଥିଲେ । ନିଆଁ ଅଧିକ ବ୍ୟାପିବା ଯୋଗୁଁ ଆଉ କିଛି ଲୋକମାନେ ମଧ୍ୟ ଘର ଭିତରେ ଫସି ରହିଥିଲେ । ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ଘଟଣାସ୍ଥଳରେ ୩୦ ଟି ଦମକଳବାହିନୀ ଗାଡି ପହଞ୍ଚି ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ପ୍ରଥମେ ପାଲମ ମେଟ୍ରୋ ଷ୍ଟେସନ ନିକଟ ଲେନ ନମ୍ବର ୨ରେ ଥିବା ଏକ କୋଠାରେ ଅଗ୍ନିକାଣ୍ଡ ସମ୍ପର୍କରେ ଏକ ଫୋନ୍ କଲ୍ ଯାଇଥିବା ଅଗ୍ନିଶମ ବିଭାଗ କହିଛି । ସେହି ଘରେ କିଛି ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି ବୋଲି ମଧ୍ୟ ଅଗ୍ନିଶମ ବିଭାଗ କହିଛି । ସକାଳ ୭ଟାରେ ସେମାନଙ୍କୁ ଘଟଣା ସମ୍ପର୍କରେ ସୂଚନା ଦିଆଯାଇଥିଲା । ଘଟଣାସ୍ଥଳରେ ୩୦ ଟି ଦମକଳ ବାହିନୀ ଗାଡି ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ଆଗକୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି ।
