ନୂଆଦିଲ୍ଲୀରେ ନିର୍ମାଣ ହେବ ନୂଆ ଓଡ଼ିଶା ଭବନ

କଳିଙ୍ଗ ଶୈଳୀରେ ନିର୍ମିତ ହେବ ନୂଆ ‘ଓଡ଼ିଶା ଭବନ’

ନୂଆଦିଲ୍ଲୀରେ ନିର୍ମାଣ ହେବ ନୂଆ ଓଡ଼ିଶା ଭବନ । ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଳିଙ୍ଗ ଶୈଳୀରେ ନିର୍ମିତ ହେବ ନୂଆ ‘ଓଡ଼ିଶା ଭବନ’ । ଚାଣକ୍ୟପୁରୀସ୍ଥିତ କୌଟିଲ୍ୟ ମାର୍ଗଠାରେ ନୂତନ ଓଡ଼ିଶା ଭବନର ହେଲା ଶିଳାନ୍ୟାସ । ପୂର୍ବରୁ ଥିବା ପୁରୁଣା ବିଲ୍ଡିଂଟି ଅସୁରକ୍ଷିତ ଘୋଷିତ ହେବା ପରେ ତାହାକୁ ଭାଙ୍ଗି ଦିଆଯାଇଥିଲା। ସେହି ସ୍ଥାନରେ ଏକ ଅତ୍ୟାଧୁନିକ ଓ ଓଡ଼ିଶାର କଳା-ସଂସ୍କୃତିର ଝଲକ ଥିବା ନୂଆ ଭବନ ନିର୍ମାଣ ହେବାକୁ ଯାଉଛି । ପ୍ରାୟ ୦.୪୩ ଏକର ଜମିରେ ୫,୨୮୫ ବର୍ଗ ମିଟର ଅଞ୍ଚଳରେ ଏହା ନିର୍ମିତ ହେବ। ଏହା ଓଡ଼ିଶାର ମନ୍ଦିର ସ୍ଥାପତ୍ୟ କଳା (କଳିଙ୍ଗ ଶୈଳୀ) ଉପରେ ଆଧାରିତ । ଏଥିରେ କୋଣାର୍କ ଚକ୍ର, ପଥର ଖୋଦେଇ କାମ ଏବଂ ଇକତ୍ ଡିଜାଇନର ଛାପ ଦେଖିବାକୁ ମିଳିବ । ଏଥିରେ ୩ଟି ବେସମେଣ୍ଟ, ଗୋଟିଏ ଗ୍ରାଉଣ୍ଡ ଫ୍ଲୋର ଏବଂ ୬ଟି ମହଲା ରହିବ। ଗାଡ଼ି ପାର୍କିଂ ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି ।ମୋଟ ୪୫ଟି ରୁମ୍ ରହିବ, ଯେଉଁଥିରେ ସାଧାରଣ ରୁମ୍, ଏଗଜେକ୍ୟୁଟିଭ୍ ରୁମ୍ ଏବଂ ଭିଆଇପି ସୁଇଟ୍ ସାମିଲ ଅଛି । ବିଲ୍ଡିଂରେ ଏକ ଆଧୁନିକ ରୋଷେଇ ଘର ସହ ୩୨ ଜଣିଆ ଏଗଜେକ୍ୟୁଟିଭ୍ ଡାଇନିଂ ଏବଂ ୧୦ ଜଣିଆ ଭିଆଇପି ଡାଇନିଂ ହଲ୍ ରହିବ । ଦ୍ୱିତୀୟ ମହଲାରେ ୭୩ ଜଣ ବସିବା ଭଳି ଏକ ବଡ଼ କନଫରେନ୍ସ ହଲ୍ ରହିବ। ଓଡ଼ିଶାର ହସ୍ତକଳା ଓ ସଂସ୍କୃତିର ପ୍ରଚାର ପାଇଁ ପ୍ରଥମ ମହଲାରେ ଏକ ସ୍ୱତନ୍ତ୍ର ଗ୍ୟାଲେରୀ ରହିବ । ସମ୍ପୂର୍ଣ୍ଣ ଏୟାର-କଣ୍ଡିସନ୍, ସୌର ଶକ୍ତି ବ୍ୟବହାର, ବର୍ଷା ଜଳ ସଂରକ୍ଷଣ ଏବଂ ୨୪ ଘଣ୍ଟିଆ ବିଦ୍ୟୁତ ଓ ଜଳ ଯୋଗାଣର ବ୍ୟବସ୍ଥା କରାଯାଇଛି । ନୂଆଦିଲ୍ଲୀରେ ଓଡ଼ିଶାର ପ୍ରତିଷ୍ଠାକୁ ବଢ଼ାଇବା ପାଇଁ ଏହି ଭବନ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ । ଏହା କେବଳ ଏକ ଅତିଥି ଭବନ ନୁହେଁ, ବରଂ ଦିଲ୍ଲୀ ଦରବାରରେ ଓଡ଼ିଶାର କଳା, ଗୌରବ ଓ ଆଧୁନିକତାର ପ୍ରତୀକ ସାଜିବ ।

Leave a Reply

Your email address will not be published. Required fields are marked *