ରାଜ୍ୟ ବଜେଟ୍ କୁ ଅନୁମୋଦନ ଦେଲା କ୍ୟାବିନେଟ
ରାଜ୍ୟ ବଜେଟ୍ କୁ ଅନୁମୋଦନ ଦେଲା କ୍ୟାବିନେଟ । ରାଜ୍ୟ କ୍ୟାବିନେଟ୍ର ୩୬ତମ ବୈଠକରେ ତିନିଟି ବିଭାଗର ପାଞ୍ଚଟି ପ୍ରସ୍ତାବ ଆଗତ ହୋଇଥିଲା । ସେଥିରୁ ୪ଟି ପ୍ରସ୍ତାବକୁ ମଞ୍ଜୁରି ମିଳିଛି । ରାଜ୍ୟ ବଜେଟ୍କୁ ମଧ୍ୟ କ୍ୟାବିନେଟ୍ରେ ଅନୁମୋଦନ ମିଳିଛି, ଯାହା ଶୀଘ୍ର ହିଁ ବିଧାନସଭାରେ ଆଗତ ହେବ । କ୍ୟାବିନେଟ୍ ବୈଠକରେ ଜଳ ସମ୍ପଦ ଓ ଶ୍ରମ–ESI ବିଭାଗ ସମ୍ବନ୍ଧୀୟ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରି ମିଳିଛି ।ଜଳ ସମ୍ପଦ ବିଭାଗର EPC ଟର୍ନ୍ କି ଆଧାରରେ ୩ଟି ସେଚ୍ଛା ପ୍ରକଳ୍ପକୁ ଅନୁମୋଦନ ଦିଆଯାଇଛି । ପ୍ରଥମ ପ୍ରକଳ୍ପ ପାଇଁ ୧୦୫ କୋଟି ୬୨ ଲକ୍ଷ ୬୭ ହଜାର ଟଙ୍କା ବ୍ୟୟ ହେବ । ୫ ବର୍ଷର O&M ପାଇଁ ୫ କୋଟି ୩୧ ଲକ୍ଷ ୧୩ ହଜାର ଟଙ୍କା ଖର୍ଚ୍ଚ ହେବ । ବାଲେଶ୍ୱର ଜିଲ୍ଲାର ଉପଡା ଓ ବାହାନାଗା ଅଞ୍ଚଳର ୪୯୨୪.୦୪ ହେକ୍ଟର ଚାଷ ଜମି ସେଚ୍ଛା ସୁବିଧା ପାଇବ। ଦ୍ୱିତୀୟ ପ୍ରକଳ୍ପ ପାଇଁ ୧୦୭ କୋଟି ୯୬ ଲକ୍ଷ ୯୮ ହଜାର ଟଙ୍କା ବ୍ୟୟ ହେବ । O&M ପାଇଁ ୫ କୋଟି ୫୧ ଲକ୍ଷ ୮୪ ହଜାର ଟଙ୍କା ଖର୍ଚ୍ଚ ହେବ । ନିଳଗିରି, ବାହାନାଗା, ଉପଡା ଓ ରେମୁଣା ଅଞ୍ଚଳର ୫୧୭୭.୯୮ ହେକ୍ଟର ଜମି ଲାଭାନ୍ବିତ ହେବ । ତୃତୀୟ ପ୍ରକଳ୍ପ ପାଇଁ ୧୪୬ କୋଟି ୧୭ ଲକ୍ଷ ୪୬ ହଜାର ଟଙ୍କା ବ୍ୟୟ ହେବ ।୫ ବର୍ଷର O&M ପାଇଁ ୭ କୋଟି ୬୯ ଲକ୍ଷ ୩୪ ହଜାର ଟଙ୍କା ଖର୍ଚ୍ଚ ହେବ । ବାଲେଶ୍ୱର ଓ ରେମୁଣା ଅଞ୍ଚଳର ୫୭୬୫.୩୪ ହେକ୍ଟର ଜମିକୁ ସେଚ୍ଛା ସୁବିଧା ମିଳିବ । ସମସ୍ତ ପ୍ରକଳ୍ପକୁ ୨୪ ମାସ ମଧ୍ୟରେ ସମାପ୍ତ କରାଯିବା ଲକ୍ଷ୍ୟ ରଖାଯାଇଛି । ପ୍ରକଳ୍ପ ସମାପ୍ତି ପରେ କୃଷକମାନେ ବିଶେଷ ଭାବେ ଲାଭାନ୍ବିତ ହେବେ ଓ ସ୍ଥାନୀୟ ଅଞ୍ଚଳର ସାମାଜିକ–ଆର୍ଥିକ ଉନ୍ନତି ହେବ । ସେହିପରି ଶ୍ରମ ଓ ESI ବିଭାଗର “ଓଡ଼ିଶା କର୍ମଚାରୀ ରାଜ୍ୟ ବୀମା ଚିକିତ୍ସା ସେବା ନିୟମ, ୨୦୨୬” କୁ କ୍ୟାବିନେଟ୍ରେ ମଞ୍ଜୁରି ମିଳିଛି । ନୂତନ ନିୟମ ଲାଗୁ ହେଲେ ESI ଅଧୀନରେ କାର୍ଯ୍ୟରତ ଚିକିତ୍ସା କର୍ମଚାରୀଙ୍କ ନିଯୁକ୍ତି ଓ ସେବା ସର୍ତ୍ତାବଳୀ ସ୍ପଷ୍ଟ ହେବ । ଏହା ମାଧ୍ୟମରେ ଚିକିତ୍ସା ସେବା ଆହୁରି ସୁଦୃଢ଼ ହେବା ସହ ଲାଭାନ୍ବିତମାନେ ଉନ୍ନତ ଚିକିତ୍ସା ସୁବିଧା ପାଇବେ ବୋଲି ସରକାର ଆଶା ବ୍ୟକ୍ତ କରିଛନ୍ତି ।
