ଫେବୃଆରୀ ୧୩ରେ ରାଜ୍ୟ କ୍ୟାବିନେଟ୍‌

ଫେବୃଆରୀ ୧୩ରେ ରାଜ୍ୟ କ୍ୟାବିନେଟ୍‌

ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୨୬-୨୭ ଆର୍ଥିକବର୍ଷ ପାଇଁ ବିଧାନସଭାରେ ବଜେଟ ଅଧିବେଶନ ୧୭ରୁ ଆରମ୍ଭ ହେବ। ଏଥିପାଇଁ ସରକାରଙ୍କ ପକ୍ଷରୁ ବ୍ୟାପକ କସରତ ଗତ ଦେଢ଼ମାସ ଧରି ଚାଲିଛି। ଏହି ପରିପ୍ରେକ୍ଷୀରେ ରାଜ୍ୟବାସୀଙ୍କୁ କିଭଳି ମୌଳିକ ସୁବିଧା ସୁଯୋଗ ହାତପାଆନ୍ତାରେ ମିଳିବ ଏବଂ ଲୋକେ ବିଶେଷ ଭାବେ ଉପକୃତ ହୋଇପାରିବେ ତାହାକୁ ନେଇ ଫେବୃଆରୀ ୧୩ ଅପରାହ୍ନ ୫ଟାରେ ରାଜ୍ୟ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବାକୁ ରହିଛି।

ଲୋକସେବା ଭବନର ତୃତୀୟ ମହଲାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁଥିବା ୩୬ତମ ମନ୍ତ୍ରିମଣ୍ଡଳ ବୈଠକ ତଥା ରାଜ୍ୟ କ୍ୟାବିନେଟ ବୈଠକରେ ରାଜସ୍ବ ବିଭାଗ, ପୂର୍ତ୍ତ ବିଭାଗ, ସ୍ବାସ୍ଥ୍ୟ ସମେତ ପ୍ରାୟ ୭ ବିଭାଗର ୯ଟି ପ୍ରସ୍ତାବ ଆସିବ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ସୂଚନା ଅନୁଯାୟୀ, ରାଜ୍ୟ ସରକାରଙ୍କ ପକ୍ଷରୁ ଏଥର ସମସ୍ତ ବିଭାଗର ସଚିବଙ୍କଠାରୁ ଓଡ଼ିଶା ବିକାଶ-୨୦୩୬ ଏବଂ ଭାରତ ବିକାଶ-୨୦୪୭ ଲାଗି ୫ଟି ଲେଖାଏ ପ୍ରସ୍ତାବ ଲୋଡ଼ାଯାଇଥିଲା, ଯେଉଁଥିରେ କି ବିଭାଗୀୟ ସଚିବମାନେ ସରକାରଙ୍କ ଲକ୍ଷ୍ୟ ପୂରଣକୁ ଦୃଷ୍ଟିରେ ରଖି ତାଙ୍କର ସୁଚିନ୍ତିତ ପ୍ରସ୍ତାବ ଦେବାକୁ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଜାନୁଆରୀ ପହିଲାରେ ନିର୍ଦ୍ଦେଶ ଦେଇଥିଲେ। ଏହାକୁ ନେଇ ବିଭାଗୀୟ ସଚିବମାନେ ସେମାନଙ୍କର ସୁଚିନ୍ତିତ ପ୍ରସ୍ତାବମାନ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୨୬ ଜୁନ୍‌ରେ ରାଜ୍ୟର ୨୮ ନୂତନ ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନ୍‌ଏସି) ଏବଂ ୭ଟି ପୌରପାଳିକାର ନିର୍ବାଚନ କରାଯିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିସହ ୨୦୨୭ରେ ପଞ୍ଚାୟତ ନିର୍ବାଚନ ରହିଛି। ଏସବୁ ଦୃଷ୍ଟିରୁ ଆସନ୍ତା ବଜେଟ ଅଧିବେଶନର ବହୁ ଗୁରୁତ୍ୱ ରହିଛି। କେନ୍ଦ୍ର ବଜେଟର ଝଲକ ରାଜ୍ୟ କ୍ୟାବିନେଟରେ ମଧ୍ୟ ଦେଖିବାକୁ ମିଳିବ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

Leave a Reply

Your email address will not be published. Required fields are marked *