ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ
ସଂସଦରେ ବିରୋଧୀଙ୍କ ବଡ଼ ପଦକ୍ଷେପ । ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ! ନୋଟିସ । କଂଗ୍ରେସ ସମେତ ୧୧୮ ସାଂସଦ ଆଣିଛନ୍ତି ଅନାସ୍ଥା ପ୍ରସ୍ତାବ ନୋଟିସ । ଲୋକସଭା ମହାସଚିବଙ୍କ ନିକଟରେ ଅନାସ୍ଥା ପ୍ରସ୍ତାବ ନୋଟିସ ଦାଖଲ କରାଯାଇଛି । ସମାଜବାଦୀ ପାର୍ଟି ଓ ଡିଏମକେ ସମର୍ଥନ କରିଥିବା ବେଳେ TMC ଏପର୍ଯ୍ୟନ୍ତ ଏଥିରେ ସ୍ବାକ୍ଷର କରିନାହିଁ ।ବଜେଟ୍ ଅଧିବେଶନ ସମୟରେ ଲୋକସଭାରେ ବିରୋଧୀ ଓ ସରକାରଙ୍କ ମଧ୍ୟରେ ବିବାଦ ଚରମ ସୀମାରେ ପହଞ୍ଚିଛି । ବିରୋଧୀଙ୍କ ଅଭିଯୋଗ , ବାଚସ୍ପତି ପକ୍ଷପାତ କରୁଛନ୍ତି । ବିରୋଧୀ ଦଳର ନେତାଙ୍କୁ କହିବାକୁ ସୁଯୋଗ ଦେଉନାହାନ୍ତି । ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କୁ ଗୃହରେ କହିବାକୁ ସମୟ ଦିଆଯାଉ ନାହିଁ । ବାଚସ୍ପତି କେବଳ ଶାସକ ଦଳକୁ ସମର୍ଥନ କରୁଛନ୍ତି ଓ ବିରୋଧୀ ସଦସ୍ୟଙ୍କୁ ବାରମ୍ବାର ନିଲମ୍ବିତ କରୁଛନ୍ତି ବୋଲି ବିରୋଧୀ କହିଛନ୍ତି ।ବାଚସ୍ପତିଙ୍କୁ ହଟାଇବା ପାଇଁ ଲୋକସଭାରେ ବହୁମତ ଅର୍ଥାତ ୨୭୨ ରୁ ଅଧିକ ଭୋଟ୍ ଆବଶ୍ୟକ । ଯେହେତୁ ବିଜେପି ନେତୃତ୍ୱାଧୀନ NDA ସରକାର ପାଖରେ ଯଥେଷ୍ଟ ସଂଖ୍ୟା ଗରିଷ୍ଠତା ରହିଛି । ତେଣୁ ଏହି ପ୍ରସ୍ତାବ କାଟ୍ ଖାଇଯିବା ନିଶ୍ଚିତ। ବିଶେଷଜ୍ଞଙ୍କ ମତରେ, ବିରୋଧୀ ଦଳ ନିଜର ପ୍ରତିବାଦ ଜଣାଇବା ପାଇଁ ଏହି ‘ସାଙ୍କେତିକ’ ପଦକ୍ଷେପ ଗ୍ରହଣ କରିଛନ୍ତି । ଅନ୍ୟପଟେ ବିଜେପି ଏହି ଅଭିଯୋଗକୁ ଖଣ୍ଡନ କରିଛି ।
