ଆଜିଠୁ ପାଗ ଶୁଖିଲା

ରାଜ୍ୟ ଉପରେ ନାହିଁ ଲଘୁଚାପ ପ୍ରଭାବ, ଆଜିଠୁ ପାଗ ଶୁଖିଲା

ଦକ୍ଷିଣ ଝାଡ଼ଖଣ୍ଡ ଓ ସଂଲଗ୍ନ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ଓ ଉତ୍ତର ଛତିଶଗଡ଼ ଅଞ୍ଚଳରେ ଶୁକ୍ରବାର ରହିଥିବା ଲଘୁଚାପ କ୍ଷେତ୍ର ଶନିବାର ଉତ୍ତର ଛତିଶଗଡ଼ ତଥା ସଂଲଗ୍ନ ଅଞ୍ଚଳରେ ରହିଛି। ଏହାସହ ଜଡ଼ିତ ଘୂର୍ଣ୍ଣିବଳୟଟି ସମୁଦ୍ର ପତ୍ତନଠାରୁ ୫.୮ କିମି ଉଚ୍ଚତା ପର୍ଯ୍ୟନ୍ତ ପରିବ୍ୟାପ୍ତ ହୋଇଛି। ଫଳରେ ରାଜ୍ୟରେ ଆଉ ଲଘୁଚାପର ପ୍ରଭାବ ନାହିଁ। ଆସନ୍ତା ୨୪ ଘଣ୍ଟାରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଆଡ଼କୁ ଗତି କରି ଉତ୍ତର-ପୂର୍ବ ମଧ୍ୟପ୍ରଦେଶ ଆଡ଼କୁ ଗତି କରିବ। ଫଳରେ ଆସନ୍ତା ୩ ଦିନ ରାଜ୍ୟର ପାଗ ଶୁଖିଲା ରହିବ। ପାଗ ଖରାଟିଆ ରହିବ। ଳଘୁଚାପର କେନ୍ଦ୍ର ଦେଇ ଉତ୍ତର ଛତିଶଗଡ଼ ଓ ସଂଲଗ୍ନ ଓଡ଼ିଶାର କେନ୍ଦୁଝର, ବାଲେଶ୍ବର ଓ ଦକ୍ଷିଣପୂର୍ବ ଆଡ଼କୁ ଉତ୍ତରପୂର୍ବ ବଙ୍ଗୋପସାଗର ଆଡ଼କୁ ଲମ୍ବିଛି । ଏହାର ପ୍ରଭାବରେ ଓଡ଼ିଶାରେ ଆସନ୍ତା ୩ ଦିନ କାଁ ଭାଁ ବର୍ଷା ହୋଇପାରେ। ୨୩ ତାରିଖରୁ ରାଜ୍ୟରେ ପୁଣି ବର୍ଷା ପ୍ରଭାବ ବଢ଼ିପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ୨୩ ତାରିଖ ଦିନ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ‌ଢେଙ୍କାନାଳ, କଟକ, ନୟାଗଡ଼, ଖୋର୍ଧା, ପୁରୀ, ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ସେହିଭଳି ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜର କେତେକ ସ୍ଥାନରେ ପ୍ରବଳ ବର୍ଷିପାରେ। ରବିବାର ରାଜଧାନୀ ଓ ଏହାର ଆଖପାଖ ଅଞ୍ଚଳର ପାଗ ମେଘୁଆ ରହିବ। ହାଲୁକା ବର୍ଷା ମଧ୍ୟ ହୋଇପାରେ। ଦିନର ସର୍ବୋଚ୍ଚ ତାପମାତ୍ରା ୩୨ ଡିଗ୍ରି ଓ ରାତିର ସର୍ବନିମ୍ନ ତାପମାତ୍ରା ୨୫ ଡିଗ୍ରି ମଧ୍ୟରେ ରହିବ।