ଜୁନ୍‌ ମାସରେ ରାଜ୍ୟ ଦେଖିବ ପୌର ନିର୍ବାଚନ

ଜୁନ୍‌ ସୁଦ୍ଧା ୨୪ ନୂଆ ଏନ୍‌ଏସି ଓ ପୌର ନିର୍ବାଚନ: ରାଜ୍ୟ ସରକାରଙ୍କୁ ନିର୍ବାଚନ କମିସନରଙ୍କ ଚିଠି

ଆସନ୍ତା ଜୁନ୍‌ ମାସରେ ରାଜ୍ୟ ଦେଖିବ ପୌର ନିର୍ବାଚନ। ନୂତନ ଘୋଷିତ ପୌରାଞ୍ଚଳରେ ଏହି ନିର୍ବାଚନ କରାଯିବ। ନିୟମାନୁସାରେ, ପୌରାଞ୍ଚଳ ଘୋଷଣା ହେବାର ୬ ମାସ ଭିତରେ ନିର୍ବାଚନ ପ୍ରକ୍ରିୟା ଶେଷ ହେବା କଥା। ଗତ ଡିସେମ୍ବର ମାସରେ ରାଜ୍ୟ ସରକାର ୨୪ଟି ନୂଆ ଏନ୍‌ଏସି ଓ ପୌରପାଳିକା ଲାଗି ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ତେଣୁ ଆସନ୍ତା ଜୁନ୍‌ ଶେଷ ସୁଦ୍ଧା ସେ ସବୁ ସ୍ଥାନରେ ନିର୍ବାଚନ ଫଳାଫଳ ପ୍ରକାଶ ସହ ପ୍ରଥମ ପରିଷଦ ବୈଠକ ବସିବ। ଏ ସଂପର୍କରେ ରାଜ୍ୟ ସରକାରଙ୍କୁ ରାଜ୍ୟ ନିର୍ବାଚନ କମିସନର ଚିଠି ଲେଖି ଅବଗତ କରିଛନ୍ତି।

ଗଞ୍ଜାମଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ନିର୍ବାଚନ ପ୍ରସ୍ତୁତି ସମୀକ୍ଷା କରିଛନ୍ତି ରାଜ୍ୟ ନିର୍ବାଚନ କମିସନର ମଧୁସୂଦନ ପାଢ଼ୀ। ବୈଠକରେ ଦକ୍ଷିଣାଞ୍ଚଳ ରାଜସ୍ବ କମିସନର ସଂଗ୍ରାମ କେଶରୀ ମହାପାତ୍ର ଓ ନିର୍ବାଚନ କମିସନରଙ୍କ ସଚିବ ସନ୍ତୋଷ ଦାସଙ୍କ ସମେତ ଡିଭିଜନ୍‌ ଅନ୍ତର୍ଗତ ସମସ୍ତ ୮ଟି ଜିଲ୍ଲାର ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଜିଲ୍ଲା ପଞ୍ଚାୟତ ଅଧିକାରୀ ଓ ବ୍ରହ୍ମପୁର ମହାନଗର ନିଗମ କମିସନର ଉପସ୍ଥିତ ଥିଲେ। ନୂତନ ଏନ୍‌ଏସି ଓ ପୌରପାଳିକାରେ ଆସନ୍ତା ଜୁନ୍‌ ସୁଦ୍ଧା ନିର୍ବାଚନ ସରିବ ବୋଲି ଶ୍ରୀ ପାଢ଼ୀ ସଙ୍କେତ ଦେଇଛନ୍ତି। ୧୪ଟି ଜିଲ୍ଲାର ଘୋଷିତ ୨୪ଟି ଏନ୍‌ଏସିରେ ସୀମା ପୁନଃନିର୍ଦ୍ଧାରଣ ମାର୍ଚ୍ଚ ସୁଦ୍ଧା ସରିବ। ଏହାପରେ ଆସନ ସଂରକ୍ଷଣ କାମ ଶେଷ ହୋଇ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବ। ସେହିପରି ଭୋଟର ତାଲିକା ପ୍ରସ୍ତୁତି ଲାଗି ୪୫ ଦିନ ଓ ଭୋଟ୍‌ ପ୍ରକ୍ରିୟା ଲାଗି ୩୫ ଦିନ ଲାଗିବ। ଫଳରେ ଜୁନ୍‌ ଶେଷ ସୁଦ୍ଧା ସମସ୍ତ ନୂତନ ଏନ୍‌ଏସିରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ। ଗତ ଡିସେମ୍ବର ମାସରେ ପାଳଲହଡ଼ା, ସିମୁଳିଆ, ସୋହେଲା, ତିହିଡ଼ି, ଧୂଷୁରୀ, ସାଲେପୁର, ବଡ଼ମ୍ବା, ନରସିଂହପୁର, ଗଁଦିଆ, ଜଗନ୍ନାଥପ୍ରସାଦ, ପାତ୍ରପୁର, ନର୍ଲା, ଜୟପାଟଣା, ଟାଙ୍ଗୀ, ବୋରିଗୁମ୍ମା, ବେତନଟୀ, ବାଙ୍ଗିରିପୋଷି, ଚିତ୍ରଡ଼ା, କପ୍ତିପଦା, ରାସଗୋବିନ୍ଦପୁର, ବିଷମକଟକ, ବାମରା, ରେଙ୍ଗାଳି ଓ ବୀରମହାରାଜପୁରକୁ ରାଜ୍ୟ ସରକାର ଏନ୍‌ଏସି ମାନ୍ୟତା ପ୍ରଦାନ କରିଛନ୍ତି।