ଆସନ୍ତା ୪ ଦିନ ଯାଏଁ କମିବନି ଶୀତ

ଆସନ୍ତା ୪ ଦିନ ଯାଏଁ କମିବନି ଶୀତ, କୋରାପୁଟରେ ୪.୮ ଡିଗ୍ରି

ଆସନ୍ତା ୪ ଦିନ ଅର୍ଥାତ୍ ନୂଆବର୍ଷ ପର୍ଯ୍ୟନ୍ତ ରାଜ୍ୟର ସର୍ବନିମ୍ନ ତାପମାତ୍ରାରେ କୌଣସି ପରିବର୍ତନ ହେବ ନାହିଁ। ବର୍ତମାନ ଜାରି ରହିଥିବା ଶୀତ ପ୍ରବାହ ବଳବତ୍ତର ରହିବ। ଏହାପରେ ୨ରୁ ୪ ଡିଗ୍ରି ବୃଦ୍ଧି ପାଇବ। ତେବେ ଏହି ସମୟ ମଧ୍ୟରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ଘନ କୁହୁଡ଼ି ଲାଗି ରହିବ। ଆସନ୍ତା ୪୮ ଘଣ୍ଟା ମଧ୍ୟରେ କନ୍ଧମାଳ, ନୟାଗଡ଼, କଳାହାଣ୍ଡି, କୋରାପୁଟ, ଗଞ୍ଜାମ, ଜଗତସିଂହପୁର, କଟକ, ଅନୁଗୁଳ ଓ ଖୋର୍ଦ୍ଧା ଜିଲ୍ଲାର କେତେକ ସ୍ଥାନରେ ଘନ କୁହୁଡ଼ି ହେବାକୁ ଥିବାରୁ ଦୃଶ୍ୟମାନ ଦୂରତା ହ୍ରାସ ପାଇବ। ତେଣୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି ଯେ ଗତ ୨୪ ଘଣ୍ଟାରେ ରଜ୍ୟର ସର୍ବନିମ୍ନ ତାପମାତ୍ରା ସ୍ୱାଭାବିକ ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ସ୍ୱାଭାବିକ ଠାରୁ କମ୍ ରହିଥିଲା। କୋରାପୁଟରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୪.୮ ଡିଗ୍ରି ରେକର୍ଡ ହୋଇଛି। ସିମିଳିଗୁଡାରେ ୬.୩ ଡିଗ୍ରି ରହିଥିବା ବେଳେ ଦାରିଙ୍ଗବାଡିରେ ୬.୫, ଝାରସୁଗୁଡ଼ାରେ ୭.୨, ଫୁଲବାଣୀରେ ୭.୫, ଘୁ. ଉଦୟଗିରିରେ ୭.୮, ରାଉରକେଲାରେ ୮, ନବରଙ୍ଗପୁରରେ ୮.୫, ସୁନ୍ଦରଗଡ଼ରେ ୯, ଭବାନୀପାଟଣାରେ ୯.୮ ଡିଗ୍ରି ରହିଥିଲା। ଆସନ୍ତା ୭ ଦିନ ପର୍ଯ୍ୟନ୍ତ ସାରା ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ୪ ଦିନ ଯାଏଁ ସର୍ବନିମ୍ନ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ। ତେବେ ଏହା ପରେ ତାପମାତ୍ରା ୨ରୁ ୪ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ। ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ ଅନୁଯାୟୀ ରାଜ୍ୟରେ ଚାଲୁ ରହିଥିବା ଥଣ୍ଡା ଅତି କମରେ ୨୦୨୬ ଜାନୁଆରି ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଲାଗି ରହିବ।

Leave a Reply

Your email address will not be published. Required fields are marked *