ପୀତବାସ ପଣ୍ଡା ହତ୍ୟା ମାମଲା: ଜାମିନ ଶୁଣାଣି ଶେଷ, ୧୬ରେ ଆସିବ ରାୟ
ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଅଭିଯୁକ୍ତଙ୍କ ଜାମିନ ଆବେଦନର ଶୁଣାଣି ବିଧାୟକ ଓ ସାଂସଦ ଏବଂ ପୂର୍ବତନ ସାଂସଦ ଓ ବିଧାୟକଙ୍କ ପାଇଁ ଥିବା ସ୍ୱତନ୍ତ୍ର କୋର୍ଟ ତଥା ଏଡିଜେ-୩ କୋର୍ଟରେ ହୋଇଛି । ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା, ପୂର୍ବତନ ମେୟର ଶିବ ଶଙ୍କର ଦାଶ (ପିଣ୍ଟୁ), ଆଇନଜୀବୀ ମଦନ ମୋହନ ଦଳାଇ, ଶୂନ୍ୟଚନ୍ଦ୍ର ଦାସ ଓ ସୁନୀଲ ହୋତାଙ୍କ ଜାମିନ ଆବେଦନର ଶୁଣାଣି ହୋଇଥିଲା । ପୂର୍ବାହ୍ନ ୧୧ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ କୋର୍ଟ ଉଭୟ ପକ୍ଷଙ୍କ ଜବାବସୁଆଲ ଶୁଣିବା ପରେ ୧୬ ତାରିଖରେ ରାୟ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରିଛନ୍ତି । ଆସନ୍ତା ୧୫ ତାରିଖରେ ଉଭୟ ପକ୍ଷ ନିଜ ସପକ୍ଷରେ ଯଦି କିଛି ତଥ୍ୟ ଥିଲେ କୋର୍ଟରେ ଦାଖଲ କରିପାରିବେ ।ଗତ ୯ ତାରିଖରେ ତଦନ୍ତକାରୀ ଅଧିକାରୀ ବ୍ରହ୍ମପୁର ଟାଉନ୍ ଏସ୍ଡିପିଓ ପ୍ରିୟସ୍ ରଞ୍ଜନ ଛୋଟରାୟ ସିଡି(କେସ୍ ଡାଏରୀ) ଦାଖଲ କରିଥିଲେ । ସେହିଦିନ ଜାମିନ ଶୁଣାଣି ହୋଇପାରିନଥିଲା । ଆଜି ଶୁଣାଣି ପାଇଁ କୋର୍ଟ ଦିନ ଧାର୍ଯ୍ୟ କରିଥିଲେ । ବିକ୍ରମଙ୍କ ପାଇଁ ହାଇକୋର୍ଟର ବରିଷ୍ଠ ଆଇନଜୀବୀ ମାନସ ଚାନ୍ଦ, କୈଳାସ ପଣ୍ଡା, କେକେ ବେହେରା, ଦୀପକ ପଟ୍ଟନାୟକ, ଶିବ ନାରାୟଣ ସାହୁ ମାମଲା ପରିଚାଳନା କରିଥିବା ବେଳେ ସହଯୋଗ କରିବାକୁ ୫୦ରୁ ଅଧିକ ଆଇନଜୀବୀ ଉପସ୍ଥିତ ହୋଇଥିଲେ । ସେପଟେ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପିପି ଭାବେ ବରିଷ୍ଠ ଆଇନଜୀବୀ କାଳୀ ଶଙ୍କର ମିଶ୍ର ମାମଲା ପରିଚାଳନା କରିଥିଲେ । ଗଞ୍ଜାମ ପିପି ବିଶ୍ୱଜିତ ବରାଳ ତାଙ୍କୁ ସହଯୋଗ କରିଥିଲେ । ବିକ୍ରମଙ୍କ ଜାମିନ ଆବେଦନକୁ ଦୃଢ଼ ବିରୋଧ କରିଛନ୍ତି ସରକାରୀ ଓକିଲ । ପୀତବାସଙ୍କୁ ହତ୍ୟା ପରେ ତାଙ୍କ ପରିବାର ଲୋକଙ୍କୁ ହତ୍ୟା ଧମକ ହୋଇଛି । ଦୁଇ ଥର ଫୋନ୍ କରି ତାଙ୍କୁ ହତ୍ୟା ଧମକ ଦିଆଯାଇଛି ।ଏ ନେଇ ବୈଦ୍ୟନାଥପୁର ଥାନାରେ ଦୁଇଟି ମାମଲା ରୁଜୁ ହୋଇଛି । ଗୋଟିଏ କେସ୍ରେ କାହାକୁ ଅଭିଯୁକ୍ତ ଦର୍ଶାଯାଇନଥିବା ବେଳେ ଆଉ ଗୋଟିଏ କେସ୍ରେ ବିକ୍ରମଙ୍କ ନାମ ରହିଥିବା ଜଣାପଡିଛି । ଦୁଇଟି କେସ୍ର ସମସ୍ତ ରେକର୍ଡ ଆଜି ସରକାରୀ ଓକିଲଙ୍କ ଜରିଆରେ ଦାଖଲ କରିଥିଲା ପୁଲିସ । ଏହି ରେକର୍ଡ ଦେବା ପରେ ବିକ୍ରମଙ୍କ ଓକିଲ ଏହାର ମଧ୍ୟ ଜବାବ ରଖିଥିଲେ । ଗିରଫଦାରୀକୁ ନେଇ ଦୁଇ ପକ୍ଷ ଓକିଲଙ୍କ ମଧ୍ୟରେ କଡ଼ା ମୁକାବିଲା ହୋଇଥିଲା । ସେପଟେ ବିକ୍ରମଙ୍କ ଓକିଲ ଦୀପକ କୁମାର ପଟ୍ଟନାୟକ କହିଛନ୍ତି, ପୁଲିସ ଗିରଫ ସମୟରେ କୌଣସି ନିୟମ ମାନି ନାହିଁ । ଗିରଫ ସମୟରେ ତାଙ୍କ ଘର ଲୋକ କିମ୍ବା ସ୍ଥାନୀୟ ଭଦ୍ରବ୍ୟକ୍ତିଙ୍କୁ ନୋଟିସ୍ କରି ନାହିଁ । ପୀତବାସଙ୍କୁ କୁରୁପତି ଭୂୟାଁ ଓ ସହଯୋଗୀ ଚିଣ୍ଟୁ ପ୍ରଧାନ ଗୁଳି କରିଥିଲେ । ଚିଣ୍ଟୁ ପ୍ରଧାନ ବୟାନ ଆଧାରରେ ବିକ୍ରମ କୁମାର ପଣ୍ଡାଙ୍କୁ ଗିରଫ କରାଯାଇଥିବା ପୁଲିସ ଦର୍ଶାଇଛି । କିନ୍ତୁ ପୁଲିସ ଦେଇଥିବା ଆରେଷ୍ଟ୍ ମେମୋ ଅନୁସାରେ ବିକ୍ରମଙ୍କ ଗିରଫ ପରେ ଚିଣ୍ଟୁଙ୍କୁ ଗିରଫ କରାଯାଇଛି ବୋଲି କୋର୍ଟକୁ ଜଣାଇଥିବା ଆଇନଜୀବୀ ଦୀପକ ପଟ୍ଟନାୟକ କହିଛନ୍ତି ।
