ମାଲକାନଗିରି ଜିଲ୍ଲାରେ ୨୪ ଘଣ୍ଟା ଇଣ୍ଟରନେଟ ବନ୍ଦ
ମାଲକାନଗିରି ଜିଲ୍ଲାରେ ୨୪ ଘଣ୍ଟା ଇଣ୍ଟରନେଟ ବନ୍ଦ । ମାଲକାନଗିରି ଏମଭି-୨୬ ଗାଁରେ ଉତ୍ତେଜନା ଘଟଣାରେ ପ୍ରଶାସନର ପଦକ୍ଷେପ। ମୁଣ୍ଡ ବିହୀନ ମୃତଦେହ ମିଳିବା ଘଟଣାରେ ଲାଗି ରହିଛି ଉତ୍ତେଜନା । ତେଣୁ ମାଲକାନଗିରି ଜିଲ୍ଲାରେ ବନ୍ଦ ରହିବ ଇଣ୍ଟରନେଟ ସେବା । ଆଜି ୬ଟାରୁ କାଲି ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ରହିବ ।କିଛି ଦିନ ତଳେ ରାଖାଲଗୁଡ଼ା ଗାଁର ଜଣେ ୫୦ ବର୍ଷୀୟା ଆଦିବାସୀ ମହିଳା, ଲାକେ ପାଡିଆମିଙ୍କ ମୃତଦେହ ପୋଟେରୁ ନଦୀ କୂଳରୁ ମିଳିଥିଲା । ମୃତଦେହର ମୁଣ୍ଡ ନଥିଲା ଏବଂ ତାହା ଏପର୍ଯ୍ୟନ୍ତ ମିଳିନାହିଁ । ରାଖାଲଗୁଡ଼ା ଗାଁର ଲୋକେ ସନ୍ଦେହ କରୁଛନ୍ତି ଯେ ଏମଭି-୨୬ ଗାଁର କିଛି ଲୋକ ପୁରୁଣା ଜମି ବିବାଦକୁ ନେଇ ଏହି ହତ୍ୟାକାଣ୍ଡ ଘଟାଇଛନ୍ତି । ପୋଲିସ ହତ୍ୟାକାରୀଙ୍କୁ ଗିରଫ ନ କରିବାରୁ ଏବଂ କଟା ମୁଣ୍ଡ ଉଦ୍ଧାର ନ ହେବାରୁ ରାଖାଲଗୁଡ଼ା ଗାଁ ଲୋକେ ରାଗି ଯାଇଥିଲେ । ପ୍ରତିବାଦରେ ଶହ ଶହ ଲୋକ ଏମଭି-୨୬ ଗାଁକୁ ଯାଇ ଭଙ୍ଗାରୁଜା କରୁଛନ୍ତି । ଅନେକ ଘରେ ନିଆଁ ଲଗାଉଛନ୍ତି । ଭୟରେ ଏମଭି ୨୬ ଗାଁର ଲୋକେ ଘର ଛାଡ଼ି ପଳାଇଛନ୍ତି ।
