‘ପ୍ରଷ୍ଟିଚ୍ୟୁଟ୍‌’, ‘ହୁକର’, ‘ମିଷ୍ଟ୍ରେସ୍‌’, ‘ସ୍ଲୁଟ୍‌ ଏ ସବୁ ଶବ୍ଦ କୋର୍ଟରେ ବନ୍ଦ

ବଦଳିବ ଅଦାଲତର ଭାଷା

ଅଦାଲତର ରାୟରେ ମହିଳାମାନଙ୍କ ପ୍ରତି ପ୍ରଚଳିତ ହୋଇଆସିଥିବା କେତେକ ଶବ୍ଦର ବ୍ୟବହାର ଉପରେ ରୋକ୍ ଲାଗିବ। ଅଦାଲତରେ ଅଜାଣତରେ ଲିଙ୍ଗଗତ ଭେଦଭାବକୁ ପ୍ରୋତ୍ସାହିତ ନ କରିବା ପାଇଁ ବିଚାରପତିମାନଙ୍କୁ ସଚେତନ କରିବା ଲାଗି ସୁପ୍ରିମ୍‌କୋର୍ଟ ପକ୍ଷରୁ ପ୍ରକାଶିତ ହୋଇଛି ‘ହ୍ୟାଣ୍ଡବୁକ୍‌ ଅନ୍‌ କମ୍ବ୍ୟାଟିଂ ଜେଣ୍ଡର ଷ୍ଟିରିଓଟାଇପ୍ସ’। ମହିଳାମାନଙ୍କ ପ୍ରତି ବ୍ୟବହାର ହେଉଥିବା  ‘ପ୍ରଷ୍ଟିଚ୍ୟୁଟ୍‌’, ‘ହୁକର’, ‘ମିଷ୍ଟ୍ରେସ୍‌’, ‘ସ୍ଲୁଟ୍‌’ … ପରି ପ୍ରାୟ ୪୦ଟି ଶବ୍ଦକୁ ବାଦ୍‌ ଦେବାକୁ ପରାମର୍ଶ ଦିଆଯାଇଛି । ଏଥିସହ ଅନେକ ପ୍ରଚଳିତ ଶବ୍ଦକୁ ବଦଳାଇ ନୂଆ ପ୍ରତିଶବ୍ଦ ପ୍ରଣୟନ ହୋଇଛି। ପ୍ରଧାନ ବିଚାରପତି ଜଷ୍ଟିସ୍‌ ଡିୱାଇ ଚନ୍ଦ୍ରଚୂଡ଼ ଆଜି ‘ହ୍ୟାଣ୍ଡବୁକ୍‌ ଅନ୍‌ କମ୍ବ୍ୟାଟିଂ ଜେଣ୍ଡର ଷ୍ଟିରିଓଟାଇପ୍ସ’ର ଶୁଭାରମ୍ଭ କରିଛନ୍ତି। ଅତୀତର ଅଦାଲତ ରାୟରେ ବ୍ୟବହୃତ କଠୋର ଶବ୍ଦଗୁଡ଼ିକୁ ଦର୍ଶାଇ ସେ କହିଛନ୍ତି, ଏହି ଶବ୍ଦଗୁଡ଼ିକ ଅନୁପଯୁକ୍ତ ଏବଂ ଅଦାଲତର ରାୟରେ ମହିଳାଙ୍କ ପାଇଁ ବ୍ୟବହୃତ ହୋଇଛି। ଏହି ପୁସ୍ତକର ଉଦ୍ଦେଶ୍ୟ ସେହି ରାୟଗୁଡ଼ିକୁ ସମାଲୋଚନା କରିବା କିମ୍ବା ସେମାନଙ୍କ ଉପରେ ସନ୍ଦେହ କରିବା ନୁହେଁ। ଏହା କେବଳ ଲିଙ୍ଗଗତ ଧାରଣାକୁ କିପରି ଅଜାଣତରେ ବଜାୟ ରଖାଯାଇଥାଏ ତାହା ଦର୍ଶାଇବା ପାଇଁ ଉଦ୍ଦିଷ୍ଟ।