କଟକରେ ଭଙ୍ଗା ହେବ ବିପଦସଂକୁଳ କୋଠା
କଟକରେ ଭଙ୍ଗା ହେବ ବିପଦସଂକୁଳ କୋଠା। ଏନେଇ ଆଜି ବିଧାନସଭାରେ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର।କିଛିଦିନ ତଳେ କଟକରେ ଏକ ପୁରୁଣା କୋଠା ଭାଙ୍ଗି କିଛି ଲୋକଙ୍କ ମୃତ୍ୟୁ ହେବା ପରେ ଏହାକୁ ନେଇ ରାଜନୀତି ଜୋର ଧରିଥିଲା । ଏନେଇ ଏବେ ବିଭାଗୀୟ ମନ୍ତ୍ରୀ ବିଧାନସଭାରେ ଏକ ବଡ଼ ସୂଚନା ଦେଇଛନ୍ତି । ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି କି, କଟକରେ ଥିବା ସମସ୍ତ ବିପଦସଂକୁଳ ଚିଠା ଚିହ୍ନଟ କରାଯାଇ ଖୁବଶୀଘ୍ର ଭଙ୍ଗାଯିବ । ଏନେଇ କୋଠାଗୁଡିକୁ ଚିହ୍ନଟ କରିବାକୁ ଏକ ବିଶେଷ କମିଟିର ଗଠନ କରାଯାଇଥିବା କଥା ମଧ୍ୟ ମନ୍ତ୍ରୀ କହିଛନ୍ତି । ଏହି କମିଟି କଟକ ମହାନଗର ଅଧିନରେ ଥିବା ସମସ୍ତ ବିପଦ ସଂକୁଳ କୋଠାଗୁଡିକୁ ଚିହ୍ନଟ କରିବ। ଏବେ କମିଟିର ସଦସ୍ୟମାନେ ୱାର୍ଡରୁ ୱାର୍ଡ ବୁଲି ସର୍ଭେ କରୁଛନ୍ତି । ସର୍ଭେ କାମ ଶେଷ ହେଲେ ଚିହ୍ନଟ କରାଯାଇଥିବା କୋଠାଗୁଡିକର ମାଲିକମାନଙ୍କୁ ପ୍ରଥମେ ନୋଟିସ ଦିଆଯିବ ଓ ପରେ ଭଙ୍ଗାଯିବ।
