ଏଯାଏଁ ଗଲାଣି ୬୬ଜୀବନ, ଚାଲିଛି ଉଦ୍ଧାର କାର୍ଯ୍ୟ !
ତାଣ୍ଡବ ରଚିଛି ପ୍ରକୃତି। କେତେବେଳେ ଲଗାଣ ବର୍ଷା ତ ଆଉ କେତେବେଳେ ବନ୍ୟାର କରାଳତା । ତ ଆଉ କେତେବେଳେ ଭୁସ୍ଖଳନ । ସତେ ଯେମିତି ଏବେ ପ୍ରକୃତି ମଣିଷ ସମାଜ ଉପରେ ରୋଷ ହୋଇ ଦାଉ ସାଧୁଛି। ଏ ପୁରା ଘଟଣା ହିମାଚଳ ପ୍ରଦେଶ ଓ ଉତ୍ତରପ୍ରଦେଶର କଥା । ଯେଉଁଠି ପ୍ରତ୍ଯେକ ସମୟରେ ପ୍ରକୃତି ରଚୁଛି ନୂଆ ତାଣ୍ଡବ । ଗତ ତିନି ଦିନରେ ହିମାଚଳ ପ୍ରଦେଶ ଏବଂ ଉତ୍ତରପ୍ରଦେଶରେ ଲଗାଣ ବର୍ଷା ଓ ଭୂସ୍ଖଳନରେ ଗଲାଣି 66 ଜଣଙ୍କ ଜୀବନ । ବାଦଲଫଟା ବର୍ଷା କାରଣରୁ ହିମାଚଳରେ 60 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଉତ୍ତର ପ୍ରଦେଶର 6 ଜଣଙ୍କ ଜୀବନ ଯାଇଛି। ସେପଟେ ଶିମଲାରେ ତାସ୍ ଘର ପରି ଭୁଶୁଡି ପଡିଥିବା ଭଗ୍ନାବଶେଷରୁ 3 ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି।
ସୋମବାରଠାରୁ ସମୁଦାୟ 19 ଟି ମୃତଦେହ ଉଦ୍ଧାର କରାଯାଇଛି, ସମର୍ ହିଲରେ ଥିବା ଶିବ ମନ୍ଦିର ସ୍ଥଳରେ 12, ଫଗଲିରେ ପାଞ୍ଚ ଜଣ ଏବଂ କୃଷ୍ଣନଗରରୁ ଦୁଇଟି ମୃତଦେହ ଉଦ୍ଧାର କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ଆଜି ସ୍ଥାନୀୟ ଅଞ୍ଚଳର ସମସ୍ତ ସ୍କୁଲ୍-କଲେଜକୁ ଛୁଟି ଘୋଷଣା କରାଯିବା ସହ ଆସନ୍ତା 19 ପର୍ଯ୍ୟନ୍ତ ହିମାଚଳ ପ୍ରଦେଶ ୟୁନିଭର୍ସିଟି ବନ୍ଦ ରଖାଯାଇଛି। ଅନ୍ୟପଟେ ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ହିମାଚଳ ପ୍ରଦେଶରେ ଏବଂ ଉତ୍ତରାଖଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଯାହାକୁ ନେଇ ଭୟଭୀତ ହୋଇପଡିଛନ୍ତି ସ୍ଥାନୀୟ ବାସିନ୍ଦା। ଆଖି ଆଗରେ ମୃତ୍ୟୁକୁ ଦେଖିବା ପରେ ଥରି ଉଠିଛି ପ୍ରତିଟି ଛାତି।