ଲଗାଣ ବର୍ଷା ଯୋଗୁଁ ଚାରିଧାମ ଯାତ୍ରା ସ୍ଥଗିତ

ହିମାଚଳପ୍ରଦେଶରେ ୨୪ ଘଣ୍ଟାରେ ଗଲାଣି ୫୦ରୁ ଅଧିକ ଜୀବନ

ହିମାଚଳପ୍ରଦେଶରେ ଗତ ୪୮ ଘଣ୍ଟା ଧରି ଲଗାତାର ଭୀଷଣ ବର୍ଷା । ବର୍ଷା କାରଣରୁ ସାରା ରାଜ୍ୟରେ ଅନେକ ଜନଜୀବନ ନଷ୍ଟ ହୋଇଛି । ରାଜ୍ୟର ଇତିହାସରେ ଏହା ପ୍ରଥମ ଥର ଅଟେ ଯେବେ ୨୪ ଘଣ୍ଟାରେ ୫୦ରୁ ଅଧିକ ଲୋକଙ୍କ ପ୍ରାଣହାନୀ ହୋଇଛି । ସରକାରୀ ତଥ୍ୟ ମୁତାବକ ପୃଥକ ପୃଥକ ଘଟଣାରେ ୧୩ ଜଣ ଏବେ ବି ନିଖୋଜ ଅଛନ୍ତି । ସେହିପରି ପ୍ରବର୍ଳ ବର୍ଷା, ଭୁସ୍ଖଳନକୁ ଦୃଷ୍ଟିରେ ରଖି ୪ ଧାମ ଯାତ୍ରାକୁ ସାମୟିକଭାବେ ସ୍ଥଗିତ ରଖାଯାଇଛି । ବିଭିନ୍ନ ସ୍ଥାନରେ ରାସ୍ତା ଧୋଇହୋଇ ଯାଇଥିବା ବେଳେ, ବିରାଟ ଗଛ ଉପୁଡ଼ି ପଡ଼ିଛି । ଭୂସ୍ଖଳନ ଯୋଗୁ ହିମାଚଳ ପ୍ରଦେଶର ୭୫୨ଟି ରାସ୍ତାରେ ଯାତାୟାତ ବନ୍ଦ ରହିଛି । ସିମଲାରେ ଶିବ ମନ୍ଦିର ଧସି ୯ଶ୍ରଦ୍ଧାଳୁଙ୍କର ମୃତ୍ୟୁ ହୋଇଛି । ସେପଟେ ଦେବଭୂମି ଉତ୍ତରାଖଣ୍ଡରେ ଲଗାଣ ବର୍ଷା ଯୋଗୁ ଗଙ୍ଗା ଓ ଅଳକାନନ୍ଦା ନଦୀ ବିପଦସଙ୍କେତ ଉପରେ ପ୍ରବାହିତ ହେଉଛି । ଏନଡିଆରଏଫ, ଏସଡିଆରଏଫ ଓ ଆଇଟିବିପି ଯବାନ ରେସ୍କ୍ୟୁ ଅପରେସନରେ ସାମିଲ ହୋଇଛନ୍ତି । ଡେରାଡୁନ, ମଣ୍ଡି ଓ ସିମଲାରେ ସାଂଘାତିକ ସ୍ଥିତି । ପଥର ଖଣ୍ଡ ତଳେ ଅଣନିଓ୍ବାସୀ ହିମାଚଳ ପ୍ରଦେଶ। ଫ୍ଲାସ ଫ୍ଲଡରେ ଭାସୁଛି ବସ୍, କାର୍। ବାଦଲଫଟା ବର୍ଷା ସହ ଲ୍ୟାଣ୍ଡସ୍ଲାଇଡ ଯୋଗୁ ଅସମ୍ଭାଳ ସ୍ଥିତି। ସାରାରାଜ୍ୟରେ ଅଘୋଷିତ ଏମର୍ଜେନ୍ସି । ରାଜ୍ୟରେ ବର୍ଷା, ବନ୍ୟାଜନିତ ମୃତ୍ୟୁସଂଖ୍ୟା ୫୦ ଟପିଛି। ୪୦ରୁ ଅଧିକ ଲୋକ ଏବେବି ନିଖୋଜ ଅଛନ୍ତି । ଧୋଇଯାଇଛି କଲକା-ସିମଲା ରେଳ ଟ୍ରାକ । ପ୍ରଭାବିତ ଅଞ୍ଚଳରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ । ଦେବଭୂମିରେ ଜଳ ତାଣ୍ଡବ। ବିପଦସଙ୍କେତ ଉପରେ ଅଳକାନନ୍ଦା, ଗଙ୍ଗା, ମନ୍ଦାକିନି। ଉଛୁଳୁଛି ନଇଁ, ତଳିଆ ଅଞ୍ଚଳ ଜଳମଗ୍ନ। ଅବିଶ୍ରାନ୍ତ ବର୍ଷା ଓ ଲ୍ୟାଣ୍ଡସ୍ଲାଇଡ ଯୋଗୁ ଆଜି ଓ ଆସନ୍ତାକାଲି ଚାରିଧାମ ଯାତ୍ରା ସ୍ଥଗିତ ରଖାଯାଇଛି। ବଦ୍ରିନାଥ ଧାମ, ହେମକୁଣ୍ଡ ସାହିବ ଯାଉଥିବା ତୀର୍ଥଯାତ୍ରୀ ବିଭିନ୍ନ ସ୍ଥାନରେ ଫସି ରହିଛନ୍ତି।