୧୨ ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ ବର୍ଷା
ଦାନା ବାନ୍ଧୁଛି ଆଉ ଏକ ଘୂର୍ଣ୍ଣିବଳୟ । ଆଜି ଉତ୍ତର-ବଙ୍ଗୋପସାଗର ଅଞ୍ଚଳରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା । ସୃଷ୍ଟ ଘୂର୍ଣ୍ଣିବଳୟ ବିଶେଷ ଘନୀଭୂତ ହେବାର ସମ୍ଭାବନା ନାହିଁ । ତଥାପି ଘୂର୍ଣ୍ଣିବଳୟ ପ୍ରଭାବରେ ୧୨ ତାରିଖ ଯାଏଁ ବର୍ଷା ଲାଗି ରହିବ । ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଓଡ଼ିଶାରେ ବର୍ଷାର ପ୍ରଭାବ ଅଧିକ ରହିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୩ ଦିନ ବିଭିନ୍ନ ଜିଲ୍ଲାକୁ ବର୍ଷା ଆଲର୍ଟ କରାଯାଇଛି ।ଆଜି ଗଞ୍ଜାମ , ଗଜପତି, କନ୍ଧମାଳ, କେନ୍ଦ୍ରାପଡ଼ା, ଭଦ୍ରକ, ଜଗତସିଂହପୁର ଓ ମୟୂରଭଞ୍ଜରେ ଅଧିକ ବର୍ଷା ସମ୍ଭାବନା ରହିଛି । ବିଜୁଳି ଘଡଘଡି ସହ ବର୍ଷା ପାଇଁ ଆଜି ସାରା ରାଜ୍ୟକୁ ୟେଲୋ ଆଲର୍ଟ ଜାରି କରାଯାଇଥିବା ବେଳେ ମାଲକାନଗିରି, ଗଞ୍ଜାମ, ଗଜପତି, କଳାହାଣ୍ଡି, ଜଗତସିଂହପୁର , କେନ୍ଦ୍ରାପଡା, ଭଦ୍ରକ ଓ ମୟୂରଭଞ୍ଜରେ ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା ନେଇ ୱାର୍ଣ୍ଣିଂ ଜାରି କରିଛି ବିଭାଗ । ଅନ୍ୟପଟେ ଆସନ୍ତା ୨୨ ତାରିଖ ବେଳକୁ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ଆଶଙ୍କା କରାଯାଇଛି । ସେହିପରି ଦେଶରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସଂପୂର୍ଣ୍ଣ ଅପସାରଣ ନେଇ ପାଗ ଅନୁକୂଳ ହେବାରେ ଲାଗିଛି । ୧୬ ସୁଦ୍ଧା ବିଦାୟ ନେବ ମୌସୁମୀ ।
