୧୭ ରୁ ୨୪ ପର୍ଯ୍ୟନ୍ତ ଚାଲିବ କୁକୁର ଗଣନା

ରାଜ୍ୟରେ ପ୍ରଥମ ଥର ପାଇଁ ବୁଲା କୁକୁର ଗଣନା

ରାଜ୍ୟରେ ପ୍ରଥମ ଥର ପାଇଁ ଭୁବନେଶ୍ବର ମହାନଗର ନିଗମ ବିଏମ୍‌ସି ପକ୍ଷରୁ ବୁଲା କୁକୁରଙ୍କ ଗଣନା ହେବ । ସମୁଦାୟ ଦୁଇଟି ପର୍ଯ୍ୟାୟରେ ମୋଟ ୬୭ଟି ଓ୍ବାର୍ଡରେ ଥିବା ବୁଲା କୁକୁରଙ୍କ ଗଣନା କରାଯିବ । ବୁଲା କୁକୁର ଗଣନା ପାଇଁ ଜୋନ୍, ଓ୍ୱାର୍ଡ ଓ ଓ୍ୱାର୍ଡରେ ଥିବା ପ୍ରତ୍ୟେକ ଗଳି ପାଇଁ ଟିମ୍ ଗଠନ କରାଯାଇଛି । ପ୍ରତ୍ୟେକ ଗଳିକନ୍ଦିରେ ଦୁଇ ଦୁଇଟି ପର୍ଯ୍ୟାୟରେ ଏବଂ ବୈଜ୍ଞାନିକ ପଦ୍ଧତିରେ ବୁଲା କୁକୁର ଗଣନା କରାଯିବ । ଏଥିପାଇଁ ବିଏମସି ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।ପ୍ରଥମ ପର୍ଯ୍ୟାୟ ସେପ୍ଟେମ୍ବର ୧୭ରୁ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ, ଦ୍ବିତୀୟ ପର୍ଯ୍ୟାୟ ୨୧ରୁ ୨୪ତାରିଖ ପର୍ଯ୍ୟନ୍ତ ଚାଲିବ । ଭୋର ୫ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ଏହି କୁକୁର ଗଣନା ଚାଲିବ ।

ଦକ୍ଷ ପଶୁ ଡାକ୍ତରଙ୍କ ତତ୍ତ୍ବାବଧାନରେ ସ୍ବଚ୍ଛସାଥୀ, ସ୍ବଚ୍ଛ ସୁପରଭାଇଜର, ସାନିଟାରୀ ଇନ୍ସପେକ୍ଟର, ଏସ୍ଏମଟିଏ, ଇଓ, ସିଓ, ୱାର୍ଡ ଅଫିସର ପ୍ରମୁଖ ଏହି କାର୍ଯ୍ୟ ସଂପାଦନ କରିବେ । ଏଥିପାଇଁ ସମୁଦାୟ ୪୧୦ଟି ଟିମ୍ ଗଠନ କରାଯାଇଛି । ଟିମ୍ ପୂରା ଭୁବନେଶ୍ବରର ବିଭିନ୍ନ ସ୍ଥାନକୁ ଯାଇ ବୈଜ୍ଞାନିକ ପଦ୍ଧତିରେ କୁକୁର ଗଣନା କରିବ ।ଭୁବନେଶ୍ୱରବାସୀଙ୍କ ବୃହତ୍ତର ସ୍ୱାର୍ଥ ତଥା ଦୁର୍ଘଟଣା ଏବଂ ବିଭିନ୍ନ ସଂକ୍ରାମକ ରୋଗ ବ୍ୟାପିବାରୁ ରକ୍ଷା କରିବା ପାଇଁ ବିଏମ୍ ସି ପକ୍ଷରୁ ରାଜ୍ୟରେ ପ୍ରଥମ କରି ଏହି ପଦକ୍ଷେପ ନିଆଯାଇଛି । ଏଥିପାଇଁ ଭୁବନେଶ୍ୱରବାସୀ ଆମର କୁକୁର ଗଣନାକାରୀଙ୍କୁ ସହଯୋଗ ଓ ସହାୟତା ପ୍ରଦାନ କରିବା ପାଇଁ ମାନନୀୟା ମେୟର ଓ କମିଶନର ଅନୁରୋଧ କରିଛନ୍ତି ।