ଶ୍ରୀମନ୍ଦିରରେ ପାଳନ ହେବ ଶ୍ରୀବଳଭଦ୍ରଙ୍କ ଜନ୍ମଦିନ

ଭାଇଙ୍କୁ ରାକ୍ଷୀ ବାନ୍ଧିବେ ମା’ ସୁଭଦ୍ରା

ଆଜି ପବିତ୍ର ଗହ୍ମା ପୁନେଇ । ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ପ୍ରଭୁ ବଳଭଦ୍ରଙ୍କୁ ରାକ୍ଷୀ ପିନ୍ଧାଇବେ ଭଉଣୀ ସୁଭଦ୍ରା । ବଡ ଠାକୁରଙ୍କ ପାଇଁ ତିଆରି ହୋଇଚି ବଡ ରାକ୍ଷୀ । ଭାଇ-ଭଉଣୀଙ୍କ ଥିବା ସମ୍ପର୍କ ଡୋରିର ନିଦର୍ଶନକୁ ଦର୍ଶନ କରି ନିଜକୁ ଧନ୍ୟ ମଣିବେ ଭକ୍ତ । ମହାପ୍ରଭୁଙ୍କ ରାକ୍ଷୀ ତିଆରି କରୁଥିବା ସ୍ଵତନ୍ତ୍ର ସେବକ ପାଟରା ବିଷୋୟୀ ସେବକ ଠାକୁରଙ୍କ ପାଇଁ ରାକ୍ଷୀ ତିଆରି କରିଛନ୍ତି । ଚିତାଲାଗି ଅମାବାସ୍ୟା ଠାରୁ ଏହି ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଥିଲା । ବିଧି ମୁତାବକ ମହାପ୍ରଭୁ ଶ୍ରଜଗନ୍ନାଥ ଦୁଇଟି ଓ ଶ୍ରୀ ବଳଭଦ୍ର ଦୁଇଟି ଲେଖାଏଁ ରାକ୍ଷୀ ପରିଧାନ କରିବେ । ହାତରେ ଦୁଇଟି ଲେଖାଏଁ ଗୁଆ ମାଳ ପରିଧାନ କରି ରାକ୍ଷୀ ପୂର୍ଣ୍ଣିମାରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି ମହାପ୍ରଭୁ । ରାକ୍ଷୀ ପୂର୍ଣ୍ଣିମା ଅବସରରେ ଆଜି ଶ୍ରୀବଳଭଦ୍ରଙ୍କ ଜନ୍ମଦିନ ମଧ୍ୟ ଶ୍ରୀମନ୍ଦିରରେ ପାଳନ ହେବ ।

ଦୁଇଟି ଲେଖାଏଁ ରାକ୍ଷୀ ପିନ୍ଧନ୍ତି ଦୁଇ ଠାକୁର:

ପବିତ୍ର ରାକ୍ଷୀ ପୂର୍ଣ୍ଣିମା ହେଉଛି ଭାଇ-ଭଉଣୀଙ୍କ ମଧ୍ୟରେ ଏକ ଅତୁଟ ବନ୍ଧନର ପର୍ବ । ସୁରକ୍ଷା ଆଶା ନେଇ ଯଭଳି ପ୍ରତ୍ୟେକ ଭଉଣୀ, ଭାଇ ହାତରେ ରାକ୍ଷୀ ଭିଡ଼ିଥାନ୍ତି ଠିକ୍ ସେହିଭଳି ଶ୍ରୀକ୍ଷେତ୍ରରେ ମାନବୀୟ ଲୀଳା କରୁଥିବା ମହାପ୍ରଭୁ ଶ୍ରଜଗନ୍ନାଥ ଓ ପ୍ରଭୁ ବଳଭଦ୍ର ନିଜ ଅଲିଅଳି ଭଉଣୀ ସୁଭଦ୍ରାଙ୍କ ହାତରୁ ରାକ୍ଷୀ ପିନ୍ଧିଥାନ୍ତି । ୪ଟି ବୃହତକାୟ ରାକ୍ଷୀ ଓ ଗୁଆମାଲ ମହାପ୍ରଭୁ ଶ୍ରଜଗନ୍ନାଥ ଓ ପ୍ରଭୁ ବଳଭଦ୍ର ଶ୍ରୀହସ୍ତରେ ଧାରଣ କରିଥାନ୍ତି । ଭୋଗ ମଣ୍ଡପ ନୀତି ସରିବା ପରେ ମହାପ୍ରଭୁଙ୍କ ଶ୍ରୀଭୂଜରେ ରାକ୍ଷୀ ଲାଗି ନୀତି ଅନୁଷ୍ଠିତ ହୁଏ ।

କେମିତି ତିଆରି ହୁଏ ବଡ଼ଦିଅଁଙ୍କ ରାକ୍ଷୀ?:

ରାକ୍ଷୀ ତିଆରି ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପାଟରା ବିଷୋୟୀ ସେବକଙ୍କୁ ଆବଶ୍ୟକ ପରିମାଣର ବାସୁଙ୍ଗା ପାଟଯୋଗାଇ ଦିଆଯାଏ । ଏହାକୁ ପ୍ରାକୃତିକ ରଙ୍ଗରେ ବୁଡ଼ାଇ ଖରାରେ ସୁଖାଯାଇଥାଏ । ହଳଦିଆ, ନାଲି, ନୀଳ ଓ ବାଇଗଣୀ ରଙ୍ଗରେ ବାସୁଙ୍ଗା ପାଟକୁ ରଙ୍ଗୀନ କରାଯାଏ । ପରେ ଏହାକୁ ନିର୍ଦ୍ଦିଷ୍ଟ ମାପରେ କଟାଯାଇ ଗୋଲେଇ ଆକାରରେ ପ୍ରସ୍ତୁତ କରାଯାଇଥାଏ । କାଠ ପାନିଆରେ ଏହାକୁ ସାଇଜ କରାଯାଇ ୫ ଥାକିଆ ରାକ୍ଷୀ ପ୍ରସ୍ତୁତ କରାଯାଏ । ବାସୁଙ୍ଗା ପାଟରେ ଡୋରି ମଧ୍ୟ ପ୍ରସ୍ତୁତ କରାଯାଇଥାଏ । ଏଥି ସହିତ ୫୪ଟି ଲେଖାଏଁ ଗୁଆରେ ୪ଟି ଗୁଆମାଳ ପ୍ରସ୍ତୁତ କରାଯାଏ । ମହାପ୍ରଭୁ ଜଗନ୍ନାଥ ହଳଦିଆ ଓ ନାଲି ରଙ୍ଗର ଗୁଆମାଳ ଏବଂ ପ୍ରଭୁ ବଳଭଦ୍ର ନୀଳ ଓ ବାଇଗଣୀ ରଙ୍ଗର ଗୁଅମାଳ ପରିଧାନ କରିଥାନ୍ତି । ଏହା ବ୍ୟତୀତ ବାସୁଙ୍ଗା ପାଟରେ ୧୫ଟି ଛୋଟ ରାକ୍ଷୀ ପ୍ରସ୍ତୁତ ହୋଇଥାଏ । ଶ୍ରୀମନ୍ଦିର ଭିତରେ ଥିବା ପାର୍ଶ୍ଵ ଦେବଦେବୀ ଏହି ଛୋଟ ରାକ୍ଷୀ ପରିଧାନ କରିଥାନ୍ତି ।

କେମିତି ପାଳନ ହୁଏ ପ୍ରଭୁ ବଳଭଦ୍ରଙ୍କ ଜନ୍ମଦିନ:

ଶ୍ରୀମନ୍ଦିରରେ ଶ୍ରାବଣ ପୂର୍ଣ୍ଣିମା ତଥା ଗହ୍ମା ପୂର୍ଣ୍ଣିମାକୁ ପ୍ରଭୁ ବଳଭଦ୍ରଙ୍କ ଜନ୍ମ ଦିବସ ଭାବେ ପାଳନ ହୋଇଥାଏ । ପ୍ରଭୁ ବଳଭଦ୍ର ରୋହିଣୀଙ୍କ ଗର୍ଭରୁ ଏହି ଦିନରେ ଜନ୍ମ ନେଇଥିଲେ । ଏହାକୁ ଶ୍ରୀମନ୍ଦିରରେ ଅତ୍ୟନ୍ତ ଜାକଜମକରେ ପାଳନ କରାଯାଇଥାଏ । ଯେତେବେଳେ ଶ୍ରୀମନ୍ଦିରରେ ଭୋଗ ମଣ୍ଡପ ସାରିଥାଏ ସେତେବେଳେ ଚତୁର୍ଦ୍ଧା ମୂର୍ତ୍ତୀଙ୍କୁ ସର୍ବାଙ୍ଗ ଚନ୍ଦନ ଲେପ ନୀତି ଅନୁଷ୍ଠିତ ହୋଇଥାଏ । ବଡ ଠାକୁର ବଲଭଦ୍ରଙ୍କ ଆଗରେ ଝୋଟି ମୁରୁଜ ପଡ଼ି ଏକ ସ୍ବତନ୍ତ୍ର ପୂଜା ବିଧି ଅନୁଷ୍ଠିତ ହୋଇଥାଏ । ଯାହାକୁ ଷଷ୍ଠୀ ମାର୍କଣ୍ଡି ପୂଜା କୁହାଯାଏ । ଏହି ପୂଜାରେ ସ୍ଵତନ୍ତ୍ର ଭୋଗ ଅନୁଷ୍ଠିତ ହୋଇଥାଏ । ପରେ ମଧ୍ୟାହ୍ନ ଧୂପ ନୀତି ଅନୁଷ୍ଠିତ ହେଇଥାଏ ।

ଷଷ୍ଠୀ ମାର୍କଣ୍ଡି ପୂଜା ପରେ ଏକ ଜନ୍ମ ନୀତି ଅନୁଷ୍ଠିତ ହେଇଥାଏ । ପରେ ପ୍ରଭୁ ସୁଦର୍ଶନ ଚଉଦଳରେ ବିଜେ କରିଥାନ୍ତି । ରତ୍ନ ଓଡ଼ିଆଣି, ମୁକୁଟ ଲାଗି ହେଇଥାଏ । ଏହାପରେ ବଡ ଦେଉଳକୁ ପରିକ୍ରମା କରି ମାର୍କଣ୍ଡ ପୁଷ୍କରିଣୀକୁ ସେ ଯାତ୍ରା କରିଥାନ୍ତି । ସେଠାରେ ମାଟିରେ ପ୍ରଭୁ ବଳଭଦ୍ରଙ୍କ ଏକ ମୂର୍ତ୍ତି ତିଆରି ହେଇଥାଏ । ପୂଜାପଣ୍ଡା ସେବକମାନେ ମନ୍ତ୍ର ଦ୍ଵାରା ତାଙ୍କୁ ଜୀବନ୍ୟାସ ପ୍ରଦାନ କରିଥାନ୍ତି । ସେଠାରେ ପଞ୍ଚୋ ଉପଚାର ପୂଜା ଅନୁଷ୍ଠିତ ହେଇଥାଏ । ଏହି ପୂଜା ନୀତି ସରିବା ପରେ ପ୍ରଭୁ ବଲଭଦ୍ରଙ୍କ ମାଟି ନିର୍ମିତ ମୂର୍ତ୍ତିକୁ ଜଳରେ ବିସର୍ଜନ କରାଯାଏ । ପରେ ଅଙ୍ଗିରା, ଭୃଗୁ ଆଶ୍ରମକୁ ପ୍ରଭୁ ସୁଦର୍ଶନ ବିଜେ କରି ଶ୍ରୀମନ୍ଦିରକୁ ବାହୁଡ଼ା ବିଜେ କରିଥାନ୍ତି । ଏହି ଭଳି ଭାବେ ରାକ୍ଷୀ ପୂର୍ଣ୍ଣିମାରେ ଶ୍ରୀମନ୍ଦିରରେ ପ୍ରଭୁ ବଳଭଦ୍ରଙ୍କ ଜନ୍ମ ଉତ୍ସବ ପାଳନ କରାଯାଏ ।

One thought on “ଶ୍ରୀମନ୍ଦିରରେ ପାଳନ ହେବ ଶ୍ରୀବଳଭଦ୍ରଙ୍କ ଜନ୍ମଦିନ

Comments are closed.