ଫାର୍ମା ଉପରେ ୨୫୦% ଶୁଳ୍କ ଧମକ

୨୪ ଘଣ୍ଟାରେ ଶୁଳ୍କ ବଢ଼ାଇବେ ଟ୍ରମ୍ପ

ଭାରତକୁ ଆମେରିକାର ଧମକ। ପୁଣି ଶୁଳ୍କ ବଢାଇବାକୁ ଧମକ ଦେଲେ ଡୋନାଲ୍ଡ ଟ୍ରମ୍ପ। ରୁଷ୍‌ଠାରୁ ଭାରତ ତେଲ କିଣୁଥିବାରୁ ଖପ୍ପା ଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତକୁ ସମାଲୋଚନା କରିଛନ୍ତି। କହିଛନ୍ତି ଭାରତ ଏକ ଭଲ ବାଣିଜ୍ୟିକ ସହଯୋଗୀ ନୁହେଁ। ୨୪ ଘଣ୍ଟା ମଧ୍ୟରେ ବର୍ତ୍ତମାନର ୨୫ ପ୍ରତିଶତ ପାଲଟା ଶୁଳ୍କ ବାଦ୍‌ ଆହୁରି ବଡ଼ଧରଣର ଶୁଳ୍କ ଲଗାଇବେ ବୋଲି ଘୋଷଣା କରିଛନ୍ତି। ଟ୍ରମ୍ପ କହିଛନ୍ତି, ଭାରତ ଯୁଦ୍ଧ ମେସିନକୁ ଇନ୍ଧନ ଯୋଗାଉଛି। ଯଦି ସେମାନେ ତାହା କରୁଛନ୍ତି ତା’ହେଲେ ମୁଁ ଖୁସି ନୁହେଁ ବୋଲି ସେ କହିଛନ୍ତି।

ଅନ୍ୟ ପକ୍ଷରେ ଭବିଷ୍ୟତରେ ଫାର୍ମା ଉପରେ ପର୍ଯ୍ୟାୟକ୍ରମେ ଶୁଳ୍କକୁ ୨୫୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିବା ଏବଂ ସେମିକଣ୍ଡକ୍ଟର ଉପରେ ଶୁଳ୍କ ଲଗାଇବାର ଯୋଜନା ଥିବା ଟ୍ରମ୍ପ ସୂଚନା ଦେଇଛନ୍ତି।ତେବେ ଯୁକ୍ତରାଷ୍ଟ୍ର ଆମେରିକା ଏବଂ ୟୁରୋପୀୟ ସଂଘକୁ ଭାରତ ଗତକାଲି ପ୍ରବଳ ସମାଲୋଚନା କରିଛି। ଯେତେବେଳେ ଉଭୟ ପକ୍ଷ ମସ୍କୋ ସହିତ ବଡ଼ଧରଣର ବ୍ୟବସାୟ କରୁଛନ୍ତି ସେହି ସମୟରେ ଭାରତକୁ ଏକାକୀ ଘେରିବା ଠିକ୍‌ ନୁହେଁ। ନୂଆଦିଲ୍ଲୀକୁ ଟ୍ରମ୍ପ ବାରମ୍ବାର ସମାଲୋଚନା କରୁଥିବାରୁ ଉଭୟ ଶାସକ ଏନ୍‌ଡିଏ ଏବଂ ବିରୋଧୀ କଂଗ୍ରେସ ଏହାର ନିନ୍ଦା କରିଛନ୍ତି।  ରୁଷ୍‌ ସହ କାରବାର ପାଇଁ ଭାରତକୁ ଆମେରିକା ଲଗାତାର ଭାବେ ସମାଲୋଚନା କରୁଥିବା ବେଳେ ଭାରତ ସପକ୍ଷରେ ରୁଷ୍‌ ବାହାରିଛି।

କ୍ରେମଲିନ ପ୍ରବକ୍ତା ଦିମିତ୍ରି ପେସ୍‌କୋଭ କହିଛନ୍ତି, ରୁଷ୍‌ ସହିତ ବାଣିଜ୍ୟ ବନ୍ଦ ପାଇଁ ଦେଶଗୁଡ଼ିକୁ ବାଧ୍ୟ କରିବା ବେଆଇନ।ନିଜର ବାଣିଜ୍ୟ ସହଯୋଗୀ ବାଛିବା ଅଧିକାର ଦେଶଗୁଡ଼ିକର ରହିଛି। ତେଣୁ ଏପରି ଧମକ ଦିଆଯାଇ ପାରିବ ନାହିଁ। ରୁଷ୍‌ର ବାଣିଜ୍ୟ ସହଯୋଗୀଙ୍କ ବିରୋଧରେ ସୃଷ୍ଟି କରାଯାଉଥିବା ଏଭଳି ଚାପକୁ ଧମକ ବୋଲି ଧରାଯିବ। ସାର୍ବଭୌମ ଦେଶଗୁଡ଼ିକୁ  ନିଜ ବାଣିଜ୍ୟ ସହଯୋଗୀ ଚୟନ କରିବା ଅଧିକାର ରହିଛି ଏବଂ ସେମାନେ ତାହା ଚୟନ କରିପାରିବେ ବୋଲି  ସେ କହିଛନ୍ତି।

One thought on “ଫାର୍ମା ଉପରେ ୨୫୦% ଶୁଳ୍କ ଧମକ

Comments are closed.