ଛାତ୍ର ଛାତ୍ରୀଙ୍କୁ ଜଗିବ ସିସିଟିଭି

ସ୍କୁଲର ସିସିଟିଭି ଲଗାଇବା ବାଧ୍ୟତାମୂଳକ : ସିବିଏସଇ

ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ସିବିଏସଇର ଚିନ୍ତା । ସ୍କୁଲରେ ବାଧ୍ୟତାମୂଳକ ହେବ ସିସିଟିଭି। ସ୍କୁଲଗୁଡିକରେ ହାଇରିଜଲ୍ୟୁସନ ସିସିଟିଭି କ୍ୟାମେରା ସହ ଅଡିଓଭିଜୁଆଲ ରେକର୍ଡିଂ ପାଇଁ ନିର୍ଦ୍ଦେଶ ଦେଇଛି ସିବିଏସଇ । ଏହି ରେକର୍ଡିଂଗୁଡିକୁ ଅତିକମରେ ୧୫ ଦିନ ସୁରକ୍ଷିତ ରଖିବାକୁ କୁହାଯାଇଛି । ଆବଶ୍ୟକ ହେଲେ ସ୍କୁଲ କର୍ତ୍ତୃପକ୍ଷ ଏହି ସିସିଟିଭି ଫୁଟେଜ ଦେଖିପାରିବେ। ସ୍କୁଲର ୱାଶରୁମ ଓ ଟଏଲେଟକୁ ଛାଡି ସମସ୍ତ ଅଞ୍ଚଳରେ ଲାଗିବ ସିସିଟିଭି କ୍ୟାମେରା । ଉଭୟ ଛାତ୍ରଛାତ୍ରୀ ଓ ସ୍କୁଲ କର୍ମଚାରୀ ବାରମ୍ବାର ଯିବାଆସିବା କରୁଥିବା ସ୍ଥାନରେ ମଧ୍ୟ ସିସିଟିଭି ଲଗାଇବାକୁ ନିର୍ଦ୍ଦେଶ ଦେଇଛି ସିବିଏସଇ। ଜାତୀୟ ଶିଶୁ ଅଧିକାର ସୁରକ୍ଷା କମିଶନଙ୍କ ସୁପାରିଶ ଅନୁଯାୟୀ ଏହି ନିର୍ଦ୍ଦେଶ ଦିଆଯାଇଛି ।

ଛାତ୍ରଛାତ୍ରୀଙ୍କୁ ହିଂସା, ଦୁର୍ବ୍ୟବହାର, ପ୍ରାକୃତିକ ବିପର୍ଯ୍ୟୟ, ଅଗ୍ନିକାଣ୍ଡ, ପରିବହନ ସମସ୍ୟା ଆଦିରୁ ସୁରକ୍ଷା ଦେବାକୁ କମିଶନ ସୁପାରିଶ କରିଛନ୍ତି।ସେହିପରି ସ୍କୁଲରେ ଅନ୍ୟ ଛାତ୍ରଛାତ୍ରୀଙ୍କୁ ହଇରାଣ କରୁଥିବା ପିଲାଙ୍କ ଉପରେ ମଧ୍ୟ ଏହା ମାଧ୍ୟମରେ ନଜର ରଖା ଯାଇପାରିବ। ସ୍କୁଲରେ ଅପମାନିତ ହେବା ଦ୍ୱାରା କିଛି ଛାତ୍ରଛାତ୍ରୀଙ୍କ ବ୍ୟକ୍ତିତ୍ୱର ବିକାଶ ହୋଇପାରୁନାହିଁ । ସେମାନଙ୍କ ପାଇଁ ସ୍କୁଲ ବାତାବରଣକୁ ସକାରାତ୍ମକ କରିବାରେ ଏହି ପଦକ୍ଷେପ ବେଶ ସହାୟକ ହେବ।