ରିପୋର୍ଟରେ ଅଭିଯୁକ୍ତ ସମୀର ସାହୁଙ୍କୁ କ୍ଲିନ୍‌ଚିଟ୍‌

ଆଇସିସି ରିପୋର୍ଟରେ ନାହିଁ ତାଳମେଳ, ସନ୍ଦେହ ଘେରରେ ସଦସ୍ୟ

ଏଫ୍‌ଏମ୍‌ କଲେଜ୍‌ ଆଇସିସି କମିଟି ରିପୋର୍ଟରେ ଚାଞ୍ଚଲ୍ୟକର ତଥ୍ୟ ।ରିପୋର୍ଟରେ ନାହିଁ ତାଳମେଳ, ସନ୍ଦେହ ଘେରରେ ସଦସ୍ୟ । ରିପୋର୍ଟରେ ଅଭିଯୁକ୍ତ ସମୀର ସାହୁଙ୍କୁ କ୍ଲିନ୍‌ଚିଟ୍‌ ଦିଆଯାଇଛି । ଯାହା ପୀଡ଼ିତା ଛାତ୍ରୀଙ୍କୁ ଅବସାଦ ଭିତରକୁ ଠେଲି ଦେଇଥିଲା । ଫୁଟ୍‌ବଲ୍‌ ପଡ଼ିଆ ପାଖରେ ଅଧ୍ୟାପକ ସମୀର ସାହୁ, ତାଙ୍କୁ ଫେବର ମାଗିଥିଲେ । ହେଲେ ଆଭ୍ୟନ୍ତରୀଣ କମିଟି ଆଗରେ ଏହାର ପ୍ରମାଣ କେମିତି ଦେଇଥାନ୍ତେ ପୀଡ଼ିତା ?  

ଏଫ୍‌ଏମ୍‌ କଲେଜ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ତଦନ୍ତର ନିର୍ଯାସ। ତଦନ୍ତ ପରେ କମିଟି ରିପୋର୍ଟରେ କହିଥିଲା ଯେ,ଅଭିଯୁକ୍ତ ଅଧ୍ୟାପକଙ୍କୁ କ୍ଲିନ୍‌ଚିଟ୍‌ । ପଡ଼ିଆରେ ବିଭାଗୀୟ ମୁଖ୍ୟ ଅଭିଯୋଗକାରିଣୀଙ୍କୁ ଫେବର ମାଗିବା କଥା ସାବ୍ୟସ୍ତ ହୋଇନାହିଁ । ବରଂ ଘଟଣା ପରେ ଅଭିଯୋଗକାରିଣୀ ସାର୍‌ଙ୍କ ପାଖକୁ ନୋଟ୍‌ ଆଣିବା ପାଇଁ ଯାଇଛନ୍ତି ଏବଂ ସେ ନିଜକୁ ଆଦୌ ଅସୁରକ୍ଷିତ ମନେ କରିନାହାନ୍ତି ବୋଲି କମିଟି ଆଗରେ ସ୍ପଷ୍ଟ କରିଛନ୍ତି । ତେଣୁ ଯାଞ୍ଚ ସତ୍ତ୍ୱେ ଶାରୀରିକ ନିର୍ଯାତନା ସମ୍ୱନ୍ଧିତ କୌଣସି ପ୍ରମାଣ କମିଟିର ହସ୍ତଗତ ହୋଇନି । ଅଭିଯୋଗ ଭିତ୍ତିହୀନ ଓ ବିନା ପ୍ରମାଣରେ କେହି କାହାରି ଚରିତ୍ର ସଂହାର ନକରନ୍ତୁ ବୋଲି ଉଲ୍ଲେଖ ରହିଛି ।ଅନୁମାନ କରାଯାଉଛି କଲେଜ ଆଇସିସି କମିଟିର ଏହି ରିପୋର୍ଟ ପୀଡ଼ିତାଙ୍କୁ ଗଭୀର ମାନସିକ ଆଘାତ ଦେଇଥାଇପାରେ । ଅଭିଯୁକ୍ତ ସମୀର ସାହୁଙ୍କ ବିରୋଧରେ କୌଣସି ପ୍ରମାଣ ମିଳିନଥିବା କମିଟି ରିପୋର୍ଟରେ କହିବା ପରେ ଭାଙ୍ଗି ପଡ଼ିଥିଲେ ପୀଡ଼ିତା ।

ଗଣମାଧ୍ୟମରେ ବାରମ୍ୱାର ପ୍ରତିକ୍ରିୟା ରଖି ସମୀର ସାରଙ୍କ ବଦଳି ପାଇଁ କମିଟି ସୁପାରିଶ କରିଥିବା କହୁଥିଲେ ଆଭ୍ୟନ୍ତରୀଣ କମିଟି ସଦସ୍ୟ । ହେଲେ କମିଟି ରିପୋର୍ଟରୁ ଜଣାପଡ଼ିଛି ଯେ, କଲେଜର ସେକ୍ସୁଆଲ ହାରାସମେଣ୍ଟ୍‌ ସେଲ୍‌ କିମ୍ବା ଇଣ୍ଟରନାଲ କମ୍ପଲେଣ୍ଟ୍‌ କମିଟିକୁ ନଯାଇ କାହିଁକି ପୀଡ଼ିତା ପ୍ରଥମେ ପୋଲିସ ଓ ଗଣମାଧ୍ୟମକୁ ଗଲେ ବୋଲି ତାଙ୍କୁ ପାଲଟା ପ୍ରଶ୍ନ କରାଯାଇଥିଲା । ଏ ସବୁ ପାରିପାର୍ଶ୍ୱିକ ଘଟଣା ପୀଡ଼ିତାଙ୍କୁ ଆତ୍ମାହୁତି ଭଳି ଚରମ ପଦକ୍ଷେପକୁ ବାଛି ନେବାକୁ ବାଧ୍ୟ କରିଥିଲା କି, ସେନେଇ କ୍ରାଇମବ୍ରାଞ୍ଚ ତଦନ୍ତରୁ ସ୍ପଷ୍ଟ ହେବ ।