ଶପଥ ନେଲେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି

ହାଇକୋର୍ଟର ୩୩ ତମ ମୁଖ୍ୟ ବିଚାରପତି ହେଲେ ଜଷ୍ଟିସ ଶୁଭାଶିଷ ତାଳପତ୍ର

ଶପଥ ନେଲେ ଓଡ଼ିଶା ହାଇକୋର୍ଟର ୩୩ ତମ ମୁଖ୍ୟ ବିଚାରପତି ଜଷ୍ଟିସ ଶୁଭାଶିଷ ତାଳପତ୍ର । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ତାଙ୍କୁ ଶପଥ ପାଠ କରାଇଛନ୍ତି। ଏନେଇ ଓଡ଼ିଶା ହାଇକୋର୍ଟରେ ଆୟୋଜିତ ହୋଇଥିଲା ଶପଥ ପାଠ କାର୍ଯ୍ୟକ୍ରମ। ଜଷ୍ଟିସ ତାଳପତ୍ର ଏବେ ବରିଷ୍ଠ ବିଚାରପତି ଭାବେ ଓଡ଼ିଶା ହାଇକୋର୍ଟରେ କାର୍ଯ୍ୟରତ ଅଛନ୍ତି ।

ସୁପ୍ରିମକୋର୍ଟଙ୍କ କଲେଜିୟମ ସୁପାରିଶ ଅନୁସାରେ ଜଷ୍ଟିସ ଶୁଭାଶିଷ ତାଳପତ୍ରଙ୍କୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି କରିଥିଲେ ରାଷ୍ଟ୍ରପତି । ଏନେଇ କେନ୍ଦ୍ର ସରକାରଙ୍କ ଆଇନ ମନ୍ତ୍ରାଳୟ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପୂର୍ବରୁ ପ୍ରକାଶ ପାଇଥିଲା । ୨୦୨୨ ଜୁନ୍ ୧୦ରୁ ଜଷ୍ଟିସ ତାଳପତ୍ର ଓଡ଼ିଶା ହାଇକୋର୍ଟରେ ବିଚାରପତି ଭାବେ କାର୍ଯ୍ୟ କରୁଛନ୍ତି। ଜଷ୍ଟିସ ଶୁଭାଶିଷ ତାଳପତ୍ର ୧୯୬୧ ଅକ୍ଟୋବର ୪ରେ ତ୍ରିପୁରାର ଉଦୟପୁର ଠାରେ ଜନ୍ମ ଗ୍ରହଣ କରିଥିଲେ। ୨୦୧୧ ନଭେମ୍ବର ୧୫ରେ ସେ ଗୌହାଟୀ ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ। ୨୦୧୩ ସେପ୍ଟେମ୍ବର ୧୩ରେ ତ୍ରିପୁରାରେ ନୂତନ ହାଇକୋର୍ଟ ପ୍ରତିଷ୍ଠା ହେବା ପରେ ତ୍ରିପୁରା ହାଇକୋର୍ଟର ସ୍ଥାୟୀ ବିଚାରପତି ଭାବେ ଶପଥ ନେଇଥିଲେ।

ଜଷ୍ଟିସ ଶୁଭାଶିଷ ତାଳପତ୍ର ୧୯୬୧ ଅକ୍ଟୋବର ୪ରେ ତ୍ରିପୁରାର ଉଦୟପୁର ଠାରେ ଜନ୍ମଗ୍ରହଣ କରିଥିଲେ । ସୋମବାର ଦିନ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଡ଼କ୍ଟର ଜଷ୍ଟିସ ଏସ ମୁରଲୀଧର ଅବସର ନେଇଥିବା ବେଳେ ଆଜି ଜଷ୍ଟିସ ଶୁଭାଶିଷ ତାଳପତ୍ର ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କରିଥିବା ଦେଖିବାକୁ ମିଳିଛି ।