୬୧ ବର୍ଷ ପରେ ପୂରଣ ହେବ କଳାହାଣ୍ଡିବାସୀଙ୍କ ସ୍ବପ୍ନ

ଉତ୍କେଲାରୁ ଉଡ଼ିବ ଉଡ଼ାଜାହାଜ

କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଉତ୍କେଲା ଗ୍ରାମରେ ଥିବା ଉଡ଼ାଜାହାଜ ପଡ଼ିଆରୁ ବିମାନ ଉଡ଼ାଣ ପାଇଁ ମିଳିଲା ଅନୁମତି । ଆଜି ଦିଲ୍ଲୀସ୍ଥିତ ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷ ବା ଡିଜିସିଏ ପକ୍ଷରୁ ଅନୁମତି ମିଳିଛି । ଫଳରେ ଅନେକ ଦିନ ଧରି ଅପେକ୍ଷା କରି ରହିଥିବା କଳାହାଣ୍ଡିବାସୀଙ୍କ ସ୍ବପ୍ନ ପୂରଣ ହେବାକୁ ଯାଉଛି। ଡିଜିସିଏ ପକ୍ଷରୁ ଉତ୍କେଲାରୁ ବିମାନ ଚଳାଚଳ ନେଇ ସବୁଜ ସଂକେତ ମିଳିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁସି ବ୍ୟକ୍ତ କରିଛନ୍ତି। ସେ ଟୁଇଟ୍‌ କରି କହିଛନ୍ତି, ଲାଇସେନ୍ସ ମିଳିବା ପରେ ଖୁବ୍‌ ଶୀଘ୍ର ଉତ୍କେଲାରୁ ଭୁବନେଶ୍ବରକୁ ବିମାନ ଉଡ଼ିବ। ଏହା ଦ୍ବାରା ଏହି ଅଞ୍ଚଳର ବ୍ୟବସାୟ ଓ ପର୍ଯ୍ୟଟନ କ୍ଷେତ୍ରକୁ ପ୍ରୋତ୍ସାହନ ମିଳିବ। ଉତ୍କେଲା ଗ୍ରାମରେ ଥିବା ଉଡ଼ାଜାହାଜ ପଡିଆଟି ୧୯୬୨ ମସିହାରେ ସ୍ଥାପିତ ହୋଇଥିଲା। କିନ୍ତୁ ୬୧ ବର୍ଷ ବିତି ଯାଇଥିଲେ ହେଁ ଏଠାରୁ ବିମାନ ଉଡ଼ାଣ ହୋଇ ନଥିବା ବେଳେ କେବେ ଉଡ଼ିବ ବୋଲି କଳାହାଣ୍ଡିବାସୀ ଚାହିଁ ବସିଥିଲେ। ବର୍ତ୍ତମାନ ଜମି ଅଧିଗ୍ରହଣ ପ୍ରାୟ ସରି ଯାଇଥିବା ବେଳେ ଉଡାଣ ପାଇଁ ପ୍ରାୟ ସମସ୍ତ କାର୍ଯ୍ୟ ସମାପ୍ତ ହୋଇଛି। ଆଜି ଦିଲ୍ଲୀ ଡିଜିସିଏରୁ ଅନୁମତି ମିଳିବା ପରେ ଜିଲ୍ଲାବାସୀଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି। ପ୍ରଥମ ପର୍ଯ୍ୟାୟରେ ଉତ୍କେଲାରୁ ଭୁବନେଶ୍ବରୁ ଉଡ଼ାଣ ପାଇଁ ଅନୁମତି ମିଳିଥିବା ଜଣାପଡ଼ିଛି।