ଭାରତ-ଚୀନକୁ ନାଟୋର କଡ଼ା ଚେତାବନୀ
ନାଟୋ ସେକ୍ରେଟାରୀ ଜେନେରାଲ ମାର୍କ ରୁଟ୍ ଭାରତ, ବ୍ରାଜିଲ ଏବଂ ଚୀନକୁ ଏକ ସ୍ପଷ୍ଟ ଚେତାବନୀ ଦେଇଛନ୍ତି । ଯଦି ସେମାନେ ରୁଷ ସହିତ ବ୍ୟବସାୟ ଜାରି ରଖନ୍ତି ତେବେ ସେମାନେ କଠୋର ଆର୍ଥିକ ଦଣ୍ଡର ସମ୍ମୁଖୀନ ହୋଇପାରନ୍ତି ବୋଲି ସତର୍କ କରାଇ ଦେଇଛନ୍ତି ରୁଟ୍ । ୟୁକ୍ରେନ ଉପରେ ଋଷର ଆକ୍ରମଣକୁ ନେଇ ପାଶ୍ଚାତ୍ୟ ଦେଶ ଏବଂ ଋଷ ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଛି । ଏହାରି ଭିତରେ ନାଟୋର ମହାସଚିବ ମାର୍କ ରୁଟେ ଏକ କଡ଼ା ଚେତାବନୀ ଦେଇଛନ୍ତି, ଯାହାର ସିଧାସଳଖ ସଙ୍କେତ ଭାରତ ଏବଂ ଚୀନ ଭଳି ଦେଶମାନଙ୍କ ପାଇଁ । ମାର୍କ ରୁଟେ କହିଛନ୍ତି ଯେ ଯେଉଁ ଦେଶଗୁଡ଼ିକ ଋଷ ସହିତ ସମ୍ପର୍କ ରଖିବେ, ସେମାନଙ୍କୁ ଏହାର ପରିଣାମ ଭୋଗିବାକୁ ପଡ଼ିବ ।
ୱାଶିଂଟନରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ମାର୍କ ରୁଟେ ଚେତାବନୀ କାହିଁକି ଦେଇଛନ୍ତି ସେ କଥା କହିଥିଲେ । ତାଙ୍କର ଏହି ବୟାନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ୟୁକ୍ରେନ ବିରୁଦ୍ଧରେ ଯୁଦ୍ଧ ଜାରି ରଖିଥିବା ଋଷ ଉପରେ ଅର୍ଥନୈତିକ ଏବଂ କୂଟନୈତିକ ଚାପ ବଢ଼ାଇବା। ଏଥିସହିତ ନୋଟୋ ସେକ୍ରେଟାରୀ ଜେନେରାଲ ରୁଟ୍ ତିନିଟି ଦେଶର ନେତାଙ୍କୁ ଶାନ୍ତି ଆଲୋଚନା ପାଇଁ ସିଧାସଳଖ ପୁଟିନଙ୍କୁ ଅନୁରୋଧ କରିବାକୁ ମଧ୍ୟ ଆହ୍ୱାନ କରିଛନ୍ତି। କହିଛନ୍ତି, ଦୟାକରି ଭ୍ଲାଦିମିର ପୁଟିନଙ୍କୁ ଫୋନ୍ କରନ୍ତୁ ଏବଂ ତାଙ୍କୁ କୁହନ୍ତୁ ଯେ ତାଙ୍କୁ ଶାନ୍ତି ଆଲୋଚନା ପ୍ରତି ଗମ୍ଭୀର ହେବାକୁ ପଡିବ, ନଚେତ୍ ଏହା ବ୍ରାଜିଲ, ଭାରତ ଏବଂ ଚୀନ୍ ଉପରେ ଏକ ବଡ଼ ପ୍ରଭାବ ପକାଇବ ।
