HDFC, ICICI ଓ Axis ବ୍ୟାଙ୍କ ଉପରୁ କଟକଣା ଉଠାଇଲେ ସରକାର
ପୂର୍ବ ନିର୍ଦ୍ଦେଶ ପ୍ରତ୍ୟାହାର କଲେ ରାଜ୍ୟ ସରକାର । HDFC, ICICI ଓ Axis ବ୍ୟାଙ୍କକୁ ମିଳିଲା ରାଜ୍ୟ ସରକାରଙ୍କ ଆର୍ଥିକ କାରବାର ଅନୁମତି । ଉଠିଲା ପ୍ରତିବନ୍ଧକ । ସରକାରଙ୍କ ତାଲିକାଭୁକ୍ତ ହେଲା HDFC, ICICI ଓ Axis ବ୍ୟାଙ୍କ। ସରକାରଙ୍କ ପ୍ରମୁଖ ଯୋଜନାଗୁଡ଼ିକରେ ଖରାପ ପ୍ରଦର୍ଶନ ଏବଂ ସାଧାରଶ ବ୍ୟାଙ୍କିଂ ମାନଦଣ୍ଡ ପୂରଣ କରୁନଥିବା ଦର୍ଶାଇ ରାଜ୍ୟ ସରକାରଙ୍କ ବ୍ୟାଙ୍କ ତାଲିକାରୁ ଜୁନ ୨୧ରେ ଏହି ତିନିଟି ବ୍ୟାଙ୍କକୁ କାଢ଼ି ଦେଇଥିଲା ଅର୍ଥ ବିଭାଗ । ଏହି ତିନି ବ୍ୟାଙ୍କର ବରିଷ୍ଠ ଅଧିକାରୀମାନେ ଜୁଲାଇ ୧ରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଭବିଷ୍ୟତରେ ଉନ୍ନତ ପ୍ରଦର୍ଶନ ସୁନିଶ୍ଚିତ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ସରକାରୀ ଯୋଜନା, ପ୍ରାଥମିକ କ୍ଷେତ୍ର ଋଣ, CD ଅନୁପାତ ଇତ୍ୟାଦିରେ ପ୍ରଦର୍ଶନ ଉନ୍ନତ କରିବାକୁ ଲିଖିତ ଆଶ୍ୱାସନା ଦେଇଥିଲେ । ସରକାରଙ୍କ ଗରିବ କଲ୍ୟାଣ ଯୋଜନାରେ ବ୍ୟାଙ୍କ ଗୁଡିକ ହେଉଛନ୍ତି ଏକ ବଡ ମାଧ୍ୟମ । ତେଣୁ ଏହି ସବୁ ବ୍ୟାଙ୍କ ଗୁଡିକ ସରକାରୀ ଯୋଜନାରେ ଅଧିକ ଲୋକଙ୍କୁ ୠଣ ଦେବାପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।
ଖୁବ ଶୀଘ୍ର ଏହି ପ୍ରଦର୍ଶନରେ ଉନ୍ନତି ଆସିବ ବୋଲି ବ୍ୟାଙ୍କ ପ୍ରତିନିଧିମାନେ ମୁଖ୍ୟମନ୍ତ୍ରୀଙ୍କୁ ଭରସା ଦେଇଥିଲେ । ଏହି ଆଧାରରେ ରାଜ୍ୟ ସରକାର ପୂର୍ବ ନିର୍ଦ୍ଦେଶ ପ୍ରତ୍ୟାହାର ନିଷ୍ପତ୍ତି ନେଇଛନ୍ତି। ଫଳରେ HDFC, ICICI ଓ Axis ବ୍ୟାଙ୍କ ଏବେ ରାଜ୍ୟ ସରକାରଙ୍କ କାରବାର କରିପାରିବେ । ତେବେ ପୂର୍ବ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟ ସରକାର ବିଭିନ୍ନ ସଂସ୍ଥା ନେଇଥିବା ଖାତା ବନ୍ଦ କରିବା, ଜମା ଉଠାଇବା ଭଳି ପଦକ୍ଷେପକୁ ପରିବର୍ତ୍ତନ କରାଯିବ ନାହିଁ ।
