କାଳବୈଶାଖୀ ନେଇ 10 ଜିଲ୍ଲାକୁ ଆଲର୍ଟ

ରାଜ୍ୟରେ ଜାରି ରହିଥିବା ଗ୍ରୀଷ୍ମପ୍ରବାହ ଆଗକୁ ଆହୁରି ୫ ଦିନ ପର୍ଯ୍ୟନ୍ତ ଜାରି ରହିବ । ଦିନବେଳା ରାଜ୍ୟବାସୀ ପ୍ରବଳ ଗରମ ଓ ଅସହ୍ୟ ତାତିରେ ସିଝିବେ । ତେବେ, ଅପରାହ୍ନରୁ ବିଳମ୍ବିତ ସନ୍ଧ୍ୟା ମଧ୍ୟରେ କାଳବୈଶାଖୀ ଜନିତ ଝଡ଼ବର୍ଷା ଅସହ୍ୟ ତାତିରୁ କିଛିଟା ଆଶ୍ୱସ୍ତି ପ୍ରଦାନ କରିବ । ଏହି କ୍ରମରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅର୍ଥାତ୍‌ ୧୬ ତାରିଖ ଶୁକ୍ରବାର ଅପରାହ୍ନ ମଧ୍ୟରେ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ପ୍ରଭୃତି ୧୦ଟି ଜିଲ୍ଲାର କେତେକ ସ୍ଥାନରେ କାଳବୈଶାଖୀ ସହ ଝଡ଼ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି ।