ଝାଡ଼ାବାନ୍ତି ବ୍ୟାପୁଥିବାରୁ ସ୍କୁଲରେ ସତର୍କତା ଅବଲମ୍ବନ

ଆଜି ଖୋଲିବ ସ୍କୁଲ

ଗ୍ରୀଷ୍ମ ଛୁଟି ପରେ ଆଜିଠାରୁ ଗଣଶିକ୍ଷା ବିଭାଗ ଅଧୀନ ରାଜ୍ୟର ସମସ୍ତ ବିଦ୍ୟାଳୟ ଓ ହଷ୍ଟେଲ ଖୋଲିବାକୁ ଯାଉଛି। ତେବେ ଝାଡ଼ାବାନ୍ତି ବ୍ୟାପିଥିବାରୁ ଯାଜପୁର, ଭଦ୍ରକ ପରି ଜିଲ୍ଲାରେ ସ୍କୁଲ ଖୋଲିବା ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭୁବନେଶ୍ବର ଗସ୍ତକୁ ଦୃଷ୍ଟିରେ ରଖି ଭୁବନେଶ୍ବର ଓ କଟକ ସହରରେ ଥିବା ସରକାରୀ, ଅନୁଦାନପ୍ରାପ୍ତ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକ ଗୋଟିଏ ଦିନ ପାଇଁ ଛୁଟି ଘୋଷଣା ହୋଇଛି। ୨୧ ତାରିଖ ଏହି ଦୁଇ ସହରର ବିଦ୍ୟାଳୟ ଖୋଲିବ। ତେବେ ରାଜ୍ୟର ଅନ୍ୟ ସ୍ଥାନଗୁଡ଼ିକରେ ଥିବା ବିଦ୍ୟାଳୟ ୨୦ ତାରିଖରେ ଖୋଲିବାକୁ ଥିବାରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ଶାଳିନୀ ପଣ୍ଡିତ ସମସ୍ତ ଜିଲ୍ଲାପାଳମାନଙ୍କୁ କହିଛନ୍ତି।

ବର୍ଷା ଋତୁରେ ଜଳବାହିତ ରୋଗ ବ୍ୟାପିବାର ଆଶଙ୍କା ଥିବାରୁ ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ଆବଶ୍ୟକୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ କୁହାଯାଇଛି। ବିଶେଷକରି ହଷ୍ଟେଲଗୁଡ଼ିକରେ ସ୍ବଚ୍ଛତା ବଜାୟ ରଖିବାକୁ ପ୍ରାଥମିକତା ଦିଆଯାଇଛି। ବିଦ୍ୟାଳୟର କ୍ଲାସରୁମ୍‌, କମନ୍‌ରୁମ୍‌, ଅଫିସ୍‌ ରୁମ୍‌, ଲ୍ୟାବ୍‌, ଲାଇବ୍ରେରି, ଶୌଚାଳୟ, ରୋଷେଇ ଘର, ଷ୍ଟୋର୍‌ ରୁମ୍‌, ହଷ୍ଟେଲ ରୁମ୍‌ ଓ ଶୌଚାଳୟକୁ ଠିକ୍‌ ଭାବେ ସଫେଇ କରାଯିବା, କ୍ୟାମ୍ପସ୍‌ରେ ଥିବା ପାଣିଟାଙ୍କି, ଜଳ ରଖିବା ପାତ୍ର ଭଲ ଭାବେ ସଫା କରିବା ସହ ସଂଯୋଗୀକରଣ ରାସ୍ତା ଓ ନାଳକୁ ବିଦ୍ୟାଳୟ କର୍ତ୍ତୃପକ୍ଷ  ସଫା କରିବେ। ଗୁଣବତ୍ତା ଚାଉଳ ଓ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ସୁରକ୍ଷିତ ଭାବେ ରଖିବେ। ହଷ୍ଟେଲ ଏବଂ ବିଦ୍ୟାଳୟରେ ସ୍ବଚ୍ଛ ପାନୀୟଜଳ ଯୋଗାଣ, କ୍ୟାମ୍ପସ୍‌ ପରିସରରୁ ଘାସ ଓ ଅନାବନା ଗଛ କାଟିବା, ଆବର୍ଜନା ସଫା କରିବା, ମଶା ଉତ୍ପତ୍ତିସ୍ଥଳକୁ ନଷ୍ଟ କରିବାକୁ ପରାମର୍ଶ ଦିଆଯାଇଛି।