୨୦ ରେ ଆସିବେ ମୋଦୀ

ବିକଶିତ ଓଡ଼ିଶା ପାଇଁ ରୋଡ୍‌ ମ୍ୟାପ୍ ଘୋଷଣା କରିବେ ମୋଦୀ: ମନମୋହନ ସାମଲ

ରାଜ୍ୟରେ ବିଜେପି ସରକାରକୁ ୧ବର୍ଷ ପୂର୍ତ୍ତି ଏବଂ ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରକୁ ୧୧ବର୍ଷ ପୂର୍ତ୍ତି ଅବସରରେ ଜନତା ମଇଦାନରେ ବିଶାଳ ଜନସମାବେଶ ହେବ। ଏଥିରେ ପ୍ରଧାନମନ୍ତ୍ରୀ ଯୋଗଦେଇ ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ‌ଗଠନ ପାଇଁ ରୋଡ୍‌ ମ୍ୟାପ୍ ଘୋଷଣା କରିବେ। ବିକଶିତ ଓଡ଼ିଶା ଗଠନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଜୋରଦାର ପ୍ରୟାସ ଆରମ୍ଭ ହୋଇଯାଇଥିବାବେଳେ ପ୍ରଧାନମନ୍ତ୍ରୀ ଏଥିରେ ପୂର୍ଣ୍ଣ ସହଯୋଗ କରୁଛନ୍ତି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ବହୁ ଜାତୀୟସ୍ତରୀୟ କାର୍ଯ୍ୟକ୍ରମ ଓଡ଼ିଶା ଆୟୋଜନ କରିପାରୁଛି। ଏପରିକି ପ୍ରଧାନମନ୍ତ୍ରୀଙ୍କ ନିର୍ଭର ପ୍ରତିଶ୍ରୁତି ଯୋଗୁ ଆଜି ବଡ଼ ଶିଳ୍ପଦ୍ୟୋଗୀମାନେ ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା କରିବାକୁ ଆଗଭର ହୋଇଛନ୍ତି।  ଓଡ଼ିଶାର ବିକାଶ ପାଇଁ ମୋଦୀ ସଂକଳ୍ପବଦ୍ଧ। ‘ମୋଦୀଙ୍କ ଗ୍ୟାରେଣ୍ଟି ଓଡ଼ିଶାର ଉନ୍ନତି’ ବୋଲି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଓଡ଼ିଶା ଗସ୍ତ ଉପଲକ୍ଷେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସାମଲ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଏକ ରୋଡ୍‌ ସୋ’ରେ ବିମାନବନ୍ଦରରୁ ଜନତା ମଇଦାନ ଯିବେ।  ଏଥିପାଇଁ ରାଜ୍ୟ ବିଜେପି ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ‘ଓଡ଼ିଶା ଭିଜନ-୨୦୩୬ ଓ ୨୦୪୭’ ପୁସ୍ତିକାକୁ ଉନ୍ମୋଚନ କରିବେ। ଭିଡ଼ିଓ କନଫରେନ୍ସିଂ ଜରିଆରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ। ଏହାସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ଲାଭାର୍ଥୀ ଏବଂ ସାମାଜିକ କ୍ଷେତ୍ରରେ ନେତୃତ୍ୱ ନେଉଥିବା ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରିବେ।