ଦୁର୍ଘଟଣାରେ ୫ ମୃତ, ୧୨ରୁ ଅଧିକ ଗୁରୁତର
ଉତ୍ତରପ୍ରଦେଶର ହାଥରସ ଜିଲ୍ଲାର ସହପଉ ଥାନା ଅଞ୍ଚଳରେ ଶୁକ୍ରବାର ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟ୍ରାକ୍ଟର ଓ ଡମ୍ଫର ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଚାଲିଗଲା ୫ ଜୀବନ । ଏହି ଦୁର୍ଘଟଣାରେ ୧୨ରୁ ଅଧିକ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଏକ ଟ୍ରାକ୍ଟର ଟ୍ରଲିରେ ପ୍ରାୟ ୧୫ରୁ ଊର୍ଦ୍ଧ୍ୱ ଲୋକ ନିକଟସ୍ଥ ପୀଠ ସବୁ ଭ୍ରମଣ କରୁଥିଲେ। ସେମାନଙ୍କ ମଧ୍ୟରୁ ବହୁ ଜଣ ସମ୍ପର୍କୀୟ ଥିଲେ। ଗତକାଲି ଟ୍ରାକ୍ଟରଟି ସାଦାବାଦ ରୋଡ ଅତିକ୍ରମ କରୁଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ଡମ୍ଫର ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ୫ ଜଣଙ୍କ ଜୀବନ ଚାଲିଯାଇଥିଲା। ଏହି ଦୁର୍ଘଟଣା ଯୋଗୁ ରାସ୍ତାରେ ବହୁ ଲୋକ ଛିଟିକି ପଡ଼ିଥିଲା। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ସେମାନଙ୍କ ମଧ୍ୟରୁ ୧୨ ଜଣଙ୍କ ଅବସ୍ଥା ଗୁରୁତର ଅଛି। ସେମାନଙ୍କ ମଧ୍ୟରୁ କିଛି ଜଣଙ୍କୁ ଆଲିଗଡ଼ ଓ କିଛି ଜଣଙ୍କୁ ଆଗ୍ରା ରେଫର କରାଯାଇଛି।