ରାଜସ୍ଥାନ ଲୋକ ସେବା ଆୟୋଗର ନୂଆ ଅଧ୍ୟକ୍ଷ ହେଲେ ଓଡ଼ିଆ ପୁଅ ଉତ୍କଳ ରଂଜନ ସାହୁ
ଓଡ଼ିଆ ପୁଅ ଉତ୍କଳ ରଂଜନ ସାହୁଙ୍କୁ ରାଜସ୍ଥାନରେ ବଡ଼ ଦାୟିତ୍ବ ମିଳିଛି। ଭାରତୀୟ ପୁଲିସ ସେବା (ଆଇପିଏସ୍) ଅଧିକାରୀ ଶ୍ରୀ ସାହୁଙ୍କୁ ରାଜସ୍ଥାନ ସରକାର ରାଜ୍ୟର ଲୋକ ସେବା ଆୟୋଗର ନୂଆ ଅଧ୍ୟକ୍ଷ ପଦବିରେ ନିଯୁକ୍ତି ଦେଇଛନ୍ତି। ଏହି ପଦବିରେ ନିଯୁକ୍ତ ହେଲା ପରେ ୧୯୮୮ ବ୍ୟାଚ୍ର ଆଇପିଏସ୍ ଶ୍ରୀ ସାହୁ ନିଜର ଯୋଜନା ସଂପର୍କରେ ଗଣମାଧ୍ୟମର ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି। ଶ୍ରୀ ସାହୁ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ଆଦେଶାନୁସାରେ ତାଙ୍କୁ ଦାୟିତ୍ବ ମିଳିଛି। ଏହାକୁ ନିଷ୍ଠାର ସହିତ ପାଳନ କରିବି। ମୁଁ ଗତ ୩୫ ବର୍ଷ ହେଲା ସରକାରୀ ସେବାରେ ରହିଛି ଏବଂ ସବୁବେଳେ ଆଦେଶର ପାଳନ କରିଛି।
ବର୍ତ୍ତମାନ ନୂଆ ଦାୟିତ୍ବ ମିଳିଥିବାରୁ, ମୁଁ ସଂପୂର୍ଣ୍ଣ ଭାବେ ଉଦ୍ୟମ କରିବି ଯେ, ଏହି ପଦ ଅନୁସାରେ କାମ କରାଯିବ। ଯଥା ସମ୍ଭବ ଭଲ କରିବାକୁ ଉଦ୍ୟମ କରିବି। ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକର କୋଶଳା ଗାଁରେ ଜନ୍ମିତ ଶ୍ରୀ ସାହୁ କହିଛନ୍ତି, ବିଗତ କିଛି ବର୍ଷରେ ନିଯୁକ୍ତି ପରୀକ୍ଷାସଂପର୍କିତ ଅନେକ ସମସ୍ୟା ଆସିଥିଲା। ପରୀକ୍ଷାକୁ ନିଷ୍ପକ୍ଷ ଭାବେ ପରିଚାଳନା କରିବାକୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା। କିନ୍ତୁ ଗତ ଦେଢ଼ ବର୍ଷ ମଧ୍ୟରେ ଯେତିକି ପରୀକ୍ଷାର ଆୟୋଜନ କରାଯାଇଛି, ସେଗୁଡ଼ିକ ସଠିକ ଏବଂ ବ୍ୟବସ୍ଥିତ ଭାବେ ସଂପନ୍ନ ହୋଇଛି। ଏହି ପରୀକ୍ଷାଗୁଡ଼ିକୁ ସଫଳତାପୂର୍ବକ କରିବାକୁ ଏସ୍ଆଇଟି, ରାଜସ୍ଥାନ ପୁଲିସର ଫିଲ୍ଡ ଅଫିସର ଏବଂ ଅନ୍ୟ ଏଜେନ୍ସିର ସମନ୍ବୟ ଗୁରୁତ୍ବପୂର୍ଣ୍ଣ ରହିଛି।
