ରାଜ୍ୟରେ ୭୦ ଲକ୍ଷ ଗାଡ଼ିର ନାହିଁ ପ୍ରଦୂଷଣ ସାର୍ଟିଫିକେଟ୍
ରାଜ୍ୟରେ ବିନା ପ୍ରଦୂଷଣ ସାର୍ଟିଫିକେଟ୍ରେ ଚାଲୁଛି ୭୦ ଲକ୍ଷ ଗାଡ଼ି। ଏଭଳି ଗାଡ଼ି ଉପରେ ୧୦ ହଜାର ଟଙ୍କା ଯାଏଁ ଜରିମାନା ବ୍ୟବସ୍ଥା ଥିଲେ ବି ଏଥିପାଇଁ ଖିଲାପିଙ୍କ ଭୟ ନାହିଁ। ଏଭଳି ଗାଡ଼ି ରାସ୍ତାରେ ଚଳାଚଳ ଦ୍ବାରା ନିର୍ଗତ ହେଉଥିବା ଗ୍ୟାସରୁ ଫୁସ୍ଫୁସ୍ରେ ମାରାତ୍ମକ କର୍କଟ ରୋଗର ଆଶଙ୍କା ଥିବା ଡାକ୍ତର ମତ ଦେଉଥିବା ବେଳେ ଏହା ଏବେ ଉଦ୍ବେଗର କାରଣ ହୋଇଛି। ପରିବହନ ପ୍ରାଧିକରଣର ତଥ୍ୟ ଅନୁଯାୟୀ, ରାଜ୍ୟରେ ୧ କୋଟି ୬ଲକ୍ଷ ଗାଡ଼ି ପଞ୍ଜୀକୃତ ହୋଇଛି। ସେଥିରୁ ୧୫ ଲକ୍ଷ ଗାଡ଼ି ବର୍ତ୍ତମାନ ରାଜ୍ୟରେ ଚଳାଚଳ କରୁନାହାନ୍ତି। ବାକି ୯୦ ଲକ୍ଷ ଗାଡ଼ିରୁ ୮୦ ପ୍ରତିଶତ ହେଉଛି ଦୁଇଚକିଆ ଗାଡ଼ି। ଚଳାଚଳ କରୁଥିବା ଗାଡ଼ିରୁ ପ୍ରାୟ ୨୦ ଲକ୍ଷ ଗାଡ଼ିର ପିୟୁସି (ପଲ୍ୟୁସନ୍ ଅଣ୍ଡର୍ କଣ୍ଟ୍ରୋଲ୍) ସାର୍ଟିଫିକେଟ୍ ରହିଛି।
ଅବଶିଷ୍ଟ ପ୍ରାୟ ୭୦ ଲକ୍ଷ ଗାଡ଼ିର ଏହି ସାର୍ଟିଫିକେଟ୍ ନାହିଁ। ମଟରଯାନ ଆଇନ ଅନୁଯାୟୀ, ନୂଆ ଗାଡ଼ି ପାଇଁ ଏକ ବର୍ଷ ଯାଏଁ କୌଣସି ପ୍ରଦୂଷଣ ସାର୍ଟିଫିକେଟ୍ର ଆବଶ୍ୟକତା ନାହିଁ। କିନ୍ତୁ ଏକ ବର୍ଷ ପରେ ପ୍ରତି ୬ମାସ ବ୍ୟବଧାନରେ ସମ୍ପୃକ୍ତ ଗାଡ଼ି ପିୟୁସି ସାର୍ଟିଫିକେଟ୍ ନେବା ବାଧ୍ୟତାମୂଳକ। ଯେଉଁ ଗାଡ଼ିଚାଳକ ଏଥିରେ ଖିଲାପ କରିବେ ସେମାନଙ୍କ ବିରୋଧରେ ଆଇନର ଧାରା ୧୯୦(୨) ଅନୁଯାୟୀ, ୧୦ ହଜାର ଟଙ୍କା ଯାଏଁ ଜରିମାନା ଆଦାୟ କରିବାର ବ୍ୟବସ୍ଥା ରହିଛି। ଆର୍ଟିଓଙ୍କ ମାଧ୍ୟମରେ କେବଳ ଏହି ଜରିମାନା ଆଦାୟ କରାଯାଇପାରିବ। ପୁଲିସକୁ ଏଥିପାଇଁ କ୍ଷମତା ଦିଆଯାଇ ନାହିଁ। କିନ୍ତୁ ଏହି ଆଇନକୁ କଡ଼ାକଡ଼ି ଭାବେ ଲାଗୁ କରିବା ଉପରେ ପ୍ରଶ୍ନ ଉଠିଛି।
