ଗିରଫ ହେଲା ସେନକୋ ଗୋଲ୍ଡ ଲୁଟେରା

ଯାଜପୁର (ଯଯାତି ଏକ୍ସପ୍ରେସ ବ୍ଯୁରୋ): ଯାଜପୁର ରୋଡ ସେନକୋ ସୁନା ଅଳଙ୍କାର ସୋରୁମ ଲୁଟ୍ ଘଟଣା। ଜଣେ ସହଯୋଗୀ ଡକାୟତ ବିହାର ଅଞ୍ଚଳରୁ ଗିରଫ। ଗିରଫ୍ ଅଭିଯୁକ୍ତ ରୂପେଶ କୁମାର ବୋଲି ଜଣାପଡିଛି। ଡକାୟତିରେ ବ୍ୟବହୃତ 3ଟି ବାଇକ୍, 2ଟି ମୋବାଇଲ ଫୋନ, ଆଧାର କାର୍ଡ, ପ୍ୟାନ କାର୍ଡ ଓ ଡ୍ରାଇଭିଂ ଲାଇସେନ୍ସ ଆଦି ଜବତ କରାଯାଇଛି। ଯାଜପୁର ଏସପି ଭିନିତ୍ ଅଗ୍ରୱାଲ ପ୍ରେସ ମିଟ କରି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଗତ ମେ 15ତାରିଖ ଅପରାହ୍ନ ସମୟରେ 6ଜଣ ଡକାୟତ ଯାଜପୁର ରୋଡ ସେନକୋ ସୁନା ଏବଂ ହୀରା ଗହଣା ସୋରୁମ ଭିତରକୁ ପ୍ରବେଶ କରି ସୁରକ୍ଷା କର୍ମୀ ଏବଂ ସୋରୁମ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଦୋକାନରୁ ସୁନା, ରୂପା ଏବଂ ହୀରା ଅଳଙ୍କାର ଲୁଟ କରିଥିଲେ। ଅପରାଧ ଘଟାଇବା ପରେ ଅଭିଯୁକ୍ତମାନେ ବାଇକ ଯୋଗେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ତଦନ୍ତ ପାଇଁ ପୋଲିସ ଏକାଧିକ ଟିମ୍ ଗଠନ କରିଥିଲା ।

ଘଟଣାସ୍ଥଳରୁ ଓ ବିଭିନ୍ନ ସ୍ଥାନରୁ ସିସିଟିଭି ଫୁଟେଜ ସଂଗ୍ରହ କରି ଏହାର ଯାଞ୍ଚ କରାଯାଇଥିଲା । ତଦନ୍ତ ବେଳେ ଜଣାପଡିଥିଲା ଯେ ଡକାୟତି ପରେ 6ଜଣ ଅଭିଯୁକ୍ତ ବିଭିନ୍ନ ସ୍ଥାନରୁ ଖସି ପଳାଇଥିଲେ। ଘଟଣା ଦିନ ଦୁଇଜଣଙ୍କୁ ଅନ୍ୟତ୍ର ଛାଡି ଅନ୍ୟ ଚାରିଜଣ ବାଇକରେ ଚୋରି ଅଳଙ୍କାର ନେଇ ବାଲେଶ୍ୱର ଆଡକୁ ଚାଲିଯାଇଥିଲେ। ଏମାନେ ସମସ୍ତ ଚୋରି ଅଳଙ୍କାରକୁ ନେଇ ବାଲେଶ୍ୱରରେ କାରରେ ଥିବା ଅନ୍ୟ ଦୁଇଜଣଙ୍କୁ ହସ୍ତାନ୍ତର କରିଥିଲେ। ଏହି ଘଟଣାରେ ମୋଟ 8ଜଣ ଅଭିଯୁକ୍ତ ସମ୍ପୃକ୍ତ ଥିବା ସୂଚନା ମିଳିଛି। ଉକ୍ତ ଘଟଣାରେ ଅଭିଯୁକ୍ତ ରୁପେଶ କୁମାର ଅନ୍ୟ ଜଣଙ୍କ ସହ ମିଶି ବାଲେଶ୍ୱରରୁ ଅଳଙ୍କାର ସହ କାରରେ ଖସିପଳାଇଥିଲେ।

ଯାଜପୁର ପୋଲିସ ବିହାରର ବୈଶାଳୀ ଅଞ୍ଚଳରୁ ଅଭିଯୁକ୍ତ ରୂପେଶ କୁମାର କୁ ଗିରଫ୍ କରିବାକୁ ସକ୍ଷମ ହୋଇଛି । ଗିରଫ ଅଭିଯୁକ୍ତ ରୂପେଶ କୁମାର ବିହାର ବୈଶାଲୀ ଜିଲ୍ଲାର ଗୋଡିଆ ଚାମନ ଗାଁର ବୋଲି ଜଣାପଡିଛି । ସେପଟେ ଜଣେ ଡକାୟତ ଧରାପଡ଼ିଥିବାରୁ ସ୍ଥାନୀୟ ସୁନା ଦୋକାନୀ ଯାଜପୁର ପୋଲିସ ଉପରେ ଖୁସି ବ୍ୟକ୍ତ କରିବା ସହ ଖୁବଶୀଘ୍ର ଅନ୍ୟ ଡକାୟତ ଗିରଫ ହେବେ ବୋଲି ଆଶା ରଖିଛନ୍ତି ।