ସିକ୍କିମରେ ଭୂସ୍ଖଳନ, ଫସିଛନ୍ତି ୧୫୦୦ ପର୍ଯ୍ୟଟକ, ୮ ନିଖୋଜ
ସିକ୍କିମରେ ଗତ କିଛିଦିନ ହେଲାଣି ପ୍ରବଳ ବର୍ଷା ଯୋଗୁଁ ଭୟଙ୍କର ଭୂସ୍ଖଳନ । ପ୍ରବଳ ବର୍ଷା ଯୋଗୁଁ ଅନେକ ସ୍ଥାନରେ ଭୂସ୍ଖଳନ ହୋଇଛି। ଉତ୍ତର ସିକ୍କିମର ଲାଚେନ ଏବଂ ଳାଚୁଙ୍ଗ ଅଞ୍ଚଳରେ ପାଖାପାଖି ୧୫୦୦ରୁ ଅଧିକ ପର୍ଯ୍ୟଟକ ଫସିଥିବା ବେଳେ ୮ ଜଣ ନିଖୋଜ ରହିଛନ୍ତି । ଭୂସ୍ଖଳନ ଯୋଗୁଁ ଅନେକ ଗୁରୁତ୍ୱପୂର୍ଣ୍ଣ ରାସ୍ତା ବନ୍ଦ ହୋଇଯାଇଛି । ଏସପି ଭୂତିଆଙ୍କ କହିବା ଅନୁଯାୟୀ, ଲାଚେନରେ ୧୧୫ ଜଣ ପର୍ଯ୍ୟଟକ ଏବଂ ଲାଚୁଙ୍ଗରେ ପ୍ରାୟ ୧୩୫୦ ଜଣ ପର୍ଯ୍ୟଟକ ଫସି ରହିଛନ୍ତି । ଉଭୟ ପାର୍ଶ୍ୱରୁ ରାସ୍ତା ବନ୍ଦ ରହିଛି, ତେଣୁ ସମସ୍ତ ପର୍ଯ୍ୟଟକଙ୍କୁ ହୋଟେଲରେ ରହିବାକୁ ପରାମର୍ଶ ଦିଆଯାଇଛି ।
ମଙ୍ଗନରେ ପର୍ଯ୍ୟଟକ ଗାଡ଼ି ପ୍ରାୟ ୧୦୦୦ ଫୁଟ ଗଭୀର ଖାଇରେ ଖସି ତିସ୍ତା ନଦୀରେ ବୁଡ଼ି ଯାଇଥିଲା । ଏହି ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ଅନ୍ୟ ୮ ଜଣ ନିଖୋଜ ରହିଛନ୍ତି । ତିସ୍ତା ନଦୀରେ ନିଖୋଜ ଅଛନ୍ତି ଯାଜପୁର ବ୍ୟାସନଗର ଅଞ୍ଚଳର ବିଜେପି ନେତ୍ରୀ ଇତିଶ୍ରୀ ଜେନା ଓ ତାଙ୍କ ପରିବାରର ଅନ୍ୟ ୩ ଜଣ । ପ୍ରବଳ ବର୍ଷା ଯୋଗୁଁ ନଦୀର ଜଳସ୍ତର ବଢ଼ୁଥିବାରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ଓଡ଼ିଶା ଓ ସିକ୍କିମ ସରକାର ମିଳିତ ଭାବେ ରେସକ୍ୟୁ ଅପରେସନ ଚଳାଇଛନ୍ତି । ଦୁର୍ଘଟଣା ସମୟରେ ପର୍ଯ୍ୟଟକ ଗାଡିରେ ସମୁଦାୟ ୧୧ ଜଣ ଥିବାବେଳେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର କାର୍ଯ୍ୟରେ ଆଇଟିବିପି, ଏସଡିଆରଏଫ ଓ ଏନଡିଆରଏଫ ଯବାନଙ୍କୁ ମଧ୍ୟ ମୁତୟନ କରାଯାଇଛି ।
