ପାକିସ୍ତାନ ପରମାଣୁ ନୀତିରେ ବଡ଼ ଧରଣର ଅଦଳବଦଳ
ପାକିସ୍ତାନ ତା ପରମାଣୁ ନୀତିରେ ଏକ ବଡ଼ ଧରଣର ଅଦଳବଦଳ କରିଛି । ଏବେ ପାକିସ୍ତାନ ଟେକ୍ଟିକାଲ ୱିପନ୍ ଅର୍ଥ ଛୋଟ ଛୋଟ ପରମାଣୁ ବୋମା ଓ ପରମାଣୁ ଲ୍ୟାଣ୍ଡମାଇନ ତିଆରି କରିବା ଉପରେ ଜୋର ଦେଉଛି । ତା ବ୍ୟତୀତ ସେ ନିଜର ନିଉକ୍ଲିଅର ଟ୍ରାୟାଡକୁ ବି ସଶକ୍ତ କରିବାକୁ ଲାଗିଛି । ଗତ ୨୪ ତାରିଖରେ ପାକିସ୍ତାନର ରିଟାୟାର୍ଡ଼ ଲେଫ୍ଟନାଣ୍ଟ ଜେନେରାଲ ଖାଲିଦ କିଦୱାଇ ଦେଇଥିବା ଏକ ଟିଭି ସାକ୍ଷାତକାରରୁ ଏହା ଜଣାପଡିଛି । ଖାଲିଦ କିଦୱାଇ ପାକିସ୍ତାନର ନ୍ୟାସନାଲ କମାଣ୍ଡ ଅଥରିଟି ଏନସିଏ ର ପରାମର୍ଶଦାତା ଅଛନ୍ତି । ରୋଚକ କଥା ହେଲା ୧୯୭୧ ଭାରତ ପାକିସ୍ତାନ ଯୁଦ୍ଧରେ ଭାରତୀୟ ସେନା ହାତରେ ଧରା ପଡି ଆଲ୍ହାବାଦ ଜେଲରେ ଦୁଇବର୍ଷ ଜେଲଦଣ୍ଡ ମଧ୍ୟ ଭୋଗି ସାରିଛନ୍ତି ଖାଲିଦ କିଦୱାଇ । ଚଳିତବର୍ଷ ପାକିସ୍ତାନ ତାହାର ପରମାଣୁ ପରିକ୍ଷଣର ୨୫ତମ ବର୍ଷ ପୂର୍ତ୍ତି ପାଳନ କରୁଛି । ଏହି ଅବସରରେ ୨୪ ତାରିଖରେ ଖାଲିଦ କିଦୱାଇ ଇସଲାମାବାଦ ସ୍ଥିତ ଇନଷ୍ଟିଚ୍ୟୁଟ୍ ଅଫ୍ ଷ୍ଟ୍ରାଟେଜିକ ଷ୍ଟଡିଜରେ ଦେଇଥିବା ବକ୍ତବ୍ୟରୁ ଏହା ସ୍ପଷ୍ଟ ହେଉଛି ଯେ ପାକିସ୍ତାନ ତା’ର ପରମାଣୁ ସିଦ୍ଧାନ୍ତରେ ବହୁତ ବଡ଼ ଧରଣର ଅଦଳବଦଳ କରିଛି । ସାକ୍ଷାତକାରରେ ଖାଲିଦ କିଦୱାଇ ଭାରତର ବଢୁଥିବା ଶକ୍ତିର ମୁକାବିଲା କରିବାପାଇଁ ଆଗାମୀ ଦିନରେ ଭୂଭାଗ, ଅକାଶମାର୍ଗ ଓ ଜଳଭାଗରୁ ପରମାଣୁ ଆକ୍ରମଣ କରିବାର କ୍ଷମତା ଯାହାକୁ ନିଉକ୍ଲିଅର ଟ୍ରାୟାଡ କୁହାଯାଏ ତାକୁ ସଶକ୍ତ କରିବା ପାଇଁ ଚେଷ୍ଟା କରିବ ।