ପହଲଗାମ ଆକ୍ରମଣ ପୂର୍ବରୁ ପାକିସ୍ତାନରେ ଥିଲେ ଜ୍ୟୋତି
ଖୋଲୁଛି ଜ୍ୟୋତିଙ୍କ ପାକିସ୍ତାନ ଲିଙ୍କ ଗୁମର । ପହଲଗାମ ଆକ୍ରମଣ ପୂର୍ବରୁ ପାକିସ୍ତାନରେ ଥିଲେ ଜ୍ୟୋତି । ଆକ୍ରମଣ ଦିନ ପାକିସ୍ତାନ ସହ ଯୋଗାଯୋଗରେ ଥିଲେ ଜ୍ୟୋତି । ୫ ଦିନିଆ ରିମାଣ୍ଡରେ ବାହାରୁଛି ଚାଞ୍ଚଲ୍ୟକର ତଥ୍ୟ । ନିୟମିତ ପାକିସ୍ତାନ ଯାଉଥିଲେ, ଥରେ ଚୀନ ଯାଇଥିଲେ । ପାକ୍ ଗୁଇନ୍ଦା ସଂସ୍ଥା ଦ୍ୱାରା ଭାରତୀୟ ୟୁଟୁ୍ୟବରଙ୍କୁ ନିଯୁକ୍ତି ଦେବାକୁ ଚେଷ୍ଟା କରାଯାଉଥିଲା । ଜ୍ୟୋତିଙ୍କୁ ଆଇଏସଆଇ ଆୟୁଧ ଭାବେ ବ୍ୟବହାର କରୁଥିଲା । ହିସାର ଏସ୍ପି ଶଶାଙ୍କ କୁମାର ସାୱନ ରବିବାର କହିଛନ୍ତି, ପାକ୍ ଗୁଇନ୍ଦା ସଂସ୍ଥା ଦ୍ୱାରା କିଛି ଭାରତୀୟ ୟୁଟ୍ୟୁବର୍ଙ୍କୁ ନିଯୁକ୍ତି ଦେବାକୁ ଚେଷ୍ଟା କରାଯାଉଥିଲା ଏବଂ ଜ୍ୟୋତି ଏହି ଯୋଜନାର ଏକ ଅଂଶ ଥିଲେ। କେନ୍ଦ୍ରୀୟ ଏଜେନ୍ସିମାନଙ୍କଠାରୁ ମିଳିଥିବା ସୂଚନା ଆଧାରରେ ଜ୍ୟୋତି ମାଲହୋତ୍ରାଙ୍କୁ ଗିରଫ କରାଯାଇଥିବା ସେକହିଛନ୍ତି। ଜ୍ୟୋତି ଲଗାତାର ପାକିସ୍ତାନୀ ଏଜେଣ୍ଟଙ୍କ ସହ ସଂପର୍କରେ ଥିଲେ।
ସେ ଅନେକ ଥର ପାକିସ୍ତାନ ଏବଂ ଥରେ ଚୀନ୍ ଯାଇଛନ୍ତି। ଜ୍ୟୋତିଙ୍କୁ ଏବେ ୫ ଦିନିଆ ପୁଲିସ ରିମାଣ୍ଡରେ ନିଆଯାଇଥିବା ବେଳେ ପଚରାଉଚରା ଜାରି ରହିଛି । ଜ୍ୟୋତିଙ୍କ ଆର୍ଥିକ ବିବରଣୀ ଏବଂ ସେ ପୋଷ୍ଟ୍ କରିଥିବା ଅନେକ ଭିଡିଓର ଏବେ ବିଶ୍ଳେଷଣ କରାଯାଉଛି ବୋଲି ଏସ୍ପି ସୂଚନା ଦେଇଛନ୍ତି। ଜ୍ୟୋତି ମାଲହୋତ୍ରାଙ୍କୁ ପାକ୍ ଗୁଇନ୍ଦା ସଂସ୍ଥା ଆଇଏସ୍ଆଇ ଆୟୁଧ ଭାବରେ ବ୍ୟବହାର କରୁଥିଲା । ଭାରତରୁ ଗୁପ୍ତ ତଥ୍ୟ ହାସଲ ସମେତ ଭାରତ ବିରୋଧୀ ଏଜେଣ୍ଡାରେ ତାଙ୍କୁ ନିୟୋଜିତ କରିବାକୁ ଯୋଜନା ହୋଇଥିବା ଜଣାପଡ଼ିବା ପରେ ଏବେ ଖୋଳତାଡ଼ ବ୍ୟାପକ ହୋଇଛି । ଅନ୍ୟ ୟୁଟ୍ୟୁବରଙ୍କ ସହ ମଧ୍ୟ ଜ୍ୟୋତି ଲଗାତାର ଯୋଗାଯୋଗରେ ଥିଲେ। ଜ୍ୟୋତି ପ୍ରାୟୋଜିତ ଭ୍ରମଣରେ ପାକିସ୍ତାନ ଯାଉଥିଲେ ଏବଂ ପହଲଗାମ ଆକ୍ରମଣ ପୂର୍ବରୁ ସେ ପାକିସ୍ତାନରେ ଥିଲେ ବୋଲି ଜଣାପଡ଼ିଛି। ପହଲଗାମ ଆକ୍ରମଣ ସହିତ ଏହାର କିଛି ସଂପର୍କ ଅଛି କି ନାହିଁ ତାହାର ମଧ୍ୟ ତଦନ୍ତ ଚାଲିଛି । ଏହି ମାମଲାରେ ବିଭିନ୍ନ ରାଜ୍ୟରେ ତଦନ୍ତ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି।
ଜ୍ୟୋତିଙ୍କ ବିରୋଧରେ ଅଫିସିଆଲ ସିକ୍ରେଟ୍ ଆକ୍ଟ ଓ ଅନ୍ୟ ଭାରତୀୟ ଆଇନର ଧାରା ଅନୁଯାୟୀ ମାମଲା ରୁଜୁ କରାଯାଇଛି। ସେ ଦିଲ୍ଲୀସ୍ଥିତ ପାକିସ୍ତାନ ହାଇକମିସନରେ କାର୍ୟ୍ୟରତ ଜଣେ ପାକିସ୍ତାନୀ କର୍ମଚାରୀଙ୍କ ସହ ଯୋଗାଯୋଗରେ ଥିଲେ। ଗୁଇନ୍ଦାଗିରିରେ ସମ୍ପୃକ୍ତ ଥିବା ଅଭିଯୋଗରେ ଭାରତ ମେ ୧୩ରେ ଉକ୍ତ ପାକିସ୍ତାନୀ ଅଧିକାରୀଙ୍କୁ ବହିଷ୍କାର କରିଥିଲା। ସିଭିଲ ଲାଇନ୍ସ ପୋଲିସ ଷ୍ଟେସନରେ ମେ ୧୬ରେ ରୁଜୁ ହୋଇଥିବା ଏଫଆଇଆର ଅନୁଯାୟୀ, ୨୦୨୩ରେ ଜ୍ୟୋତି ପାକିସ୍ତାନ ହାଇ କମିସନରେ ଏହସାନ ରହିମ ଓରଫ ଦାନିଶଙ୍କ ସଂପର୍କରେ ଆସିଥିଲେ।
