ପାକିସ୍ତାନ ଲିଙ୍କରେ ପୁରୀ ଝିଅ ପ୍ରିୟଙ୍କାଙ୍କୁ ଜେରା

ପାକିସ୍ତାନ ସ୍ପାଏ ଜ୍ୟୋତି ମଲହୋତ୍ରାଙ୍କ ଲିଙ୍କରେ ପୁରୀ ଝିଅ ପ୍ରିୟଙ୍କା

ପାକିସ୍ତାନ ସ୍ପାଏ ଭାବେ କାର୍ୟ୍ୟ କରୁଥିବା ଜ୍ୟୋତି ମଲହୋତ୍ରା ଗିରଫ ପରେ ପୁରୀର ପ୍ରିୟଙ୍କାଙ୍କ ସହ ଲିଙ୍କ ନେଇ ତନାଘନା କରିଛି ପୋଲିସ । ୟୁଟୁବର ଜ୍ୟୋତି ମାଲହୋତ୍ରାଙ୍କ ଗିରଫ ପରେ ତାଙ୍କର ପୁରୀ ସହ ସମ୍ପର୍କକୁ ନେଇ ଚର୍ଚ୍ଚା ବଢ଼ିଛି । ଜ୍ୟୋତି ଗତ ସେପ୍ଟେମ୍ବରରେ ପୁରୀ ବୁଲିବାକୁ ଆସିଥିଲେ । ପୁରୀର ବେଳାଭୂମି, ଶ୍ରୀମନ୍ଦିର ସହ ଅନ୍ୟାନ୍ୟ ସ୍ଥାନ ବୁଲିଥିଲେ । ପୁରୀରେ ପ୍ରିୟଙ୍କା ସେନାପତିଙ୍କ ସହ ବନ୍ଧୁତା କରିଥିଲେ । ବାନ୍ଧବୀ ପ୍ରିୟଙ୍କା ଜ୍ୟୋତିଙ୍କ ସାଙ୍ଗରେ ପାକିସ୍ତାନ ବୁଲିଛନ୍ତି । ଜ୍ୟୋତିଙ୍କ ସହ ପ୍ରିୟଙ୍କାଙ୍କ ସମ୍ପର୍କକୁ ନେଇ ମଧ୍ୟ ଆଶଙ୍କା ବଢ଼ିଛି । ପ୍ରିୟଙ୍କା ମଧ୍ୟ ପୂର୍ବରୁ ପାକିସ୍ତାନ ଯାଇ ଏହାର ଅନେକ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏ ସମ୍ପର୍କରେ ପୁରୀ ପୋଲିସ ତଦନ୍ତ ଆରମ୍ଭ କରିଛି। ପ୍ରିୟଙ୍କା ପୁରୀ ଶ୍ରୀମନ୍ଦିର ନିକଟ କାଳିକାଦେବୀ ସାହିର ବାସିନ୍ଦା। ମୋ ଝିଅ କେବଳ ଅନଲାଇନ ରେ ସାଙ୍ଗ ହୋଇଛି ଏବଂ ଆମେ ଏ ସମସ୍ତ ଘଟଣା ରେ ପୋଲିସ କୁ ତଦନ୍ତ ରେ ସହଯୋଗ କରିବୁ ବୋଲି କହିଛନ୍ତି ପ୍ରିୟଙ୍କାଙ୍କ ବାପା ରାଜ କିଶୋର ସେନାପତି ।

ସେହିପରି ଜ୍ୟୋତିଙ୍କ ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରୁ ଜାଣିବା ପରେ ପ୍ରିୟଙ୍କା ନିଜ ଇନ୍ଷ୍ଟାଗ୍ରାମରେ ସ୍ପଷ୍ଟୀକରଣ ଦେଇ ଲେଖିଛନ୍ତି, ୟୁଟ୍ୟୁବ ମାଧ୍ୟମରେ ମୁଁ ଜ୍ୟୋତିଙ୍କୁ ଚିହ୍ନିଥିଲି। ତାଙ୍କ ସମ୍ପର୍କରେ ମୁଁ ଏତେ ମାତ୍ରାରେ ଅବଗତ ନଥିଲି। ସେ ପାକିସ୍ତାନ ଗୁପ୍ତଚର ଭାବେ କାମ କରୁଛନ୍ତି ବୋଲି ମୁଁ ଜାଣିଥିଲେ କେବେ ବି ତାଙ୍କ ସହ ଯୋଗାଯୋଗରେ ଆସି ନଥାନ୍ତି। ତାଙ୍କ ସମ୍ପର୍କରେ ଏସବୁ ଜାଣିବା ପରେ ଏବେ ମୋତେ ମଧ୍ୟ ଆଶ୍ଚର୍ୟ୍ୟ ଲାଗୁଛି। ଯଦି କୌଣସି ତଦନ୍ତକାରୀ ସଂସ୍ଥା ମୋତେ ପ୍ରଶ୍ନ ପଚାରନ୍ତି ତେବେ ମୁଁ ସମ୍ପୂର୍ଣ ସହଯୋଗ କରିବି ।

ସେପଟେ ପୁରୀ ପୋଲିସ ଘଟଣାକୁ ଗୁରୁତ୍ୱର ସହ ନେବା ସହ ଘଟଣା ର ତଦନ୍ତ କରାଯାଉଥିବା ପୁରୀ ଏସ୍ପି ପ୍ରତିକ୍ରିୟା ରଖିଛନ୍ତି । ଘଟଣାକୁ ନେଇ ସବୁ ଦିଗକୁ ନେଇ ତଦନ୍ତ ହେଉଛି। ରାଜ୍ୟ ଏବଂ କେନ୍ଦ୍ର ଗୁଇନ୍ଦା ବିଭାଗ ସହ ଆମେ ଯୋଗାଯୋଗରେ ଆଛୁ। ତଦନ୍ତ ପରେ ସବୁ କଥା ସାମ୍ନାକୁ ଆସିବ। ରଥଯାତ୍ରା ପାଇଁ ୟୁଟୁବର ମାନଙ୍କୁ କଟକଣା ସମ୍ପର୍କରେ ଜିଲ୍ଲା ପ୍ରଶାସନ ସହ ହେବ ଆଲୋଚନା। ପ୍ରିୟଙ୍କା ସେନାପତିଙ୍କୁ ଜେରା ଚାଲିଛି। ଜ୍ୟୋତି ମାଲୋହୋତ୍ରାଙ୍କ ଘଟଣା ସମ୍ପର୍କରେ ହରିୟାଣା ପୋଲିସ ସହ ଯୋଗାଯୋଗରେ ଅଛୁ। ଘଟଣାକୁ ଗୁରୁତର ସହ ନେଇଛୁ। ସାଇବର ଏକ୍ସପର୍ଟଙ୍କ ପରାମର୍ଶ ନିଆଯିବ ବୋଲି କହିଛନ୍ତି ପୁରୀ ଏସ୍ପି ।