ଆଜିଠୁ ପୁଣି ଆରମ୍ଭ ହେବ ଆଇପିଏଲ

ବେଙ୍ଗାଲୁରୁରେ ମୁହାଁମୁହିଁ ହେବେ ଆରସିବି-କେକେଆର

ଆଜିଠୁ ପୁଣି ଆରମ୍ଭ ହେବ ଆଇପିଏଲ । ବେଙ୍ଗାଲୁରୁରେ ମୁହାଁମୁହିଁ ହେବେ ଆରସିବି-କେକେଆର  । ଅପରେସନ ସିନ୍ଦୂର ପାଇଁ ସ୍ଥଗିତ ଥିଲା ଆଇପିଏଲ ଟୁର୍ଣ୍ଣାମେଣ୍ଟ । ନୂଆ ସିଡୁ୍ୟଲରେ ଖେଳାଯାଉଛି ଅବଶିଷ୍ଟ ମ୍ୟାଚ୍  । ୬ଟି ଭେନୁ୍ୟରେ ଖେଳାଯିବ ୧୭ଟି ମ୍ୟାଚ୍ । ଜୁନ୍ ୩ ତାରିଖରେ ଖେଳାଯିବ ଫାଇନାଲ ମ୍ୟାଚ୍ । ଆଜି ଚିନ୍ନାସ୍ୱାମୀ ଷ୍ଟାଡିୟମ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ । ଏହି ମୁକାବିଲା କେକେଆର ପାଇଁ କର ବା ମର ସ୍ଥିତି ରହିବ । ମ୍ୟାଚ୍ ହାରିଲେ ପ୍ଲେ-ଅଫ୍ ଟିକେଟ୍ କଟିବା ଏକ ପ୍ରକାର ନିଶ୍ଚିତ ହେବ । ଚଳିତ ସିଜନରେ ଜବରଦସ୍ତ ଫର୍ମରେ ଅଛି ଆରସିବି । ଦଳ ୮ଟି ମ୍ୟାଚ୍ ଜିତି ୧୬ ପଏଣ୍ଟ ସହ ଦ୍ୱିତୀୟରେ ରହିଛି । ଆଉ ଗୋଟିଏ ମ୍ୟାଚ୍ ଜିତିଲେ ଫ୍ଲେ-ଅଫ୍ ଟିକେଟ୍ କାଟିବ ଦଳ ।  ସେପଟେ ମ୍ୟାଚ୍‌ରେ ବାଧକ ସାଜିପାରେ ବର୍ଷା । ସ୍ଥାନୀୟ ପାଣିପାଗ ବିଭାଗ ରିପୋର୍ଟ ଅନୁସାରେ, ବେଙ୍ଗାଲୁରୁରେ ୭୦ ପ୍ରତିଶତ ବର୍ଷା ହେବାର ସମ୍ଭାବନା ରହିଛି । ବର୍ଷା ଯୋଗୁଁ ମ୍ୟାଚ ଧୋଇଗଲେ, ପଏଣ୍ଟ ଭାଗ କରିବେ ଦୁଇ ଦଳ । ସଂଶୋଧିତ କାର୍ୟ୍ୟସୂଚୀ ଅନୁସାରେ, ଆଇପିଏଲରେ ବାକି ଥିବା ୧୭ଟି ମ୍ୟାଚ୍ ୬ଟି ଭେନ୍ୟୁରେ ଖେଳାଯିବ ।