୨ ମାସ ପରେ ବି ସରିନି ପରିଚୟ ଖୋଜା

୨୯ଟି ମୃତଦେହର ଏଯାଏଁ ମିଳୁନି ଠିକଣା

ପରିଚୟ ଅପେକ୍ଷାରେ ଶବ । ବାହାନଗା ରେଳ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା କିଛି ବ୍ୟକ୍ତିଙ୍କ ପରିଚୟ ଏବେ ବି ମିଳିପାରିନି । ୨ ମାସ ପରେ ବି ୨୯ଟି ମୃତଦେହର ମିଳୁନି ପରିଚୟ । ଶବକୁ ନେବା ପାଇଁନାହାଁନ୍ତି କେହି ଦାବିଦାର । ତେବେ ଆଉ କିଛି ଦିନ ପରେ ଶବ ଚିହ୍ନଟ ପ୍ରକ୍ରିୟା ବନ୍ଦ ହୋଇପାରେ । ଆଉ ଏହାପରେ ରାଜ୍ୟ ସରକାର ଓ ରେଳ ବିଭାଗ ଦ୍ୱାରା ଅଚିହ୍ନା ଶବ ଗୁଡିକ ସତ୍କାର କରାଯାଇପାରେ । ବାହାନଗା ରେଳ ଦୁର୍ଘଟଣାକୁ ପୁରିଗଲାଣି ୨ ମାସ । ରେଳ ଚଳାଚଳ ସ୍ୱାଭାବିକ ହେଇଗଲାଣି । ଧିରେ ଧିରେ ଏହି ଘଟଣାକୁ ଲୋକେ ଭୁଲିବାକୁ ବସିଲେଣି । କିନ୍ତୁ ଏବେ ବି ମିଳୁନାହିଁ ୨୯ଟି ମୃତଦେହର ପରିଚୟ । ଦୁର୍ଘଟଣା ପରେ ପରେ ନିଜ ପ୍ରିୟଜନଙ୍କ ଶବ ନେବାକୁ ଏମ୍ସ ବାହାରେ ଲମ୍ବିଥିଲା ଲମ୍ବା ଧାଡି । ବିଳମ୍ବରେ ହେଲେ ବି ଡିଏନଏ ପରୀକ୍ଷା ରିପୋର୍ଟ ଆସିଲା । ମୃତ ବ୍ୟକ୍ତିଙ୍କ ପରଚୟ ମିଳିବା ପରେ ୧୩୩ ମୃତ ଦେହକୁ ପରିବାର ଲୋକେ ନେଇସାରିଛନ୍ତି । କିନ୍ତୁ ଏବେବି ୨୯ଟି ମୃତଦେହର ମିଳୁନି ପରିଚୟ, ଶବ ନେବାକୁ ନାହାନ୍ତି କେହି ଦାବିଦାର । ମୃତଦେହ ସହ ଦାବିଦାରଙ୍କ ରକ୍ତ ନମୁନା ମେଳ ଖାଉନଥିବାବେଳେ ସେଂଟ୍ରାଲ ଫରେନସିକ ସାଇନ୍ସ ଲାବରୋଟରୀ ସହ କଥା ହୋଇ ଏହି ପ୍ରକ୍ରିୟା ବନ୍ଦ କରିବାକୁ ଏକ ପ୍ରକାର ପ୍ରକ୍ରିୟା ଆରମ୍ଭ ହୋଇଗଲାଣି ।