‘ଅପରେସନ ସିନ୍ଦୂର’ ରେ ୧୦୦ରୁ ଅଧିକ ଆତଙ୍କୀ, ୪୦ ପାକ୍ ସେନା ନିହତ
‘ଅପରେସନ ସିନ୍ଦୂର’ ନେଇ ଭାରତୀୟ ସେନାର ବିସ୍ତୃତ ସୂଚନା । ଆତଙ୍କବାଦ ବିରୋଧରେ ଥିଲା ଅପରେସନ ସିନ୍ଦୂର ଏବଂ ଏହା ଶତ ପ୍ରତିଶତ ସଫଳ ହୋଇଛି । ଏଥିରେ ୧୦୦ରୁ ଅଧିକ ଆତଙ୍କବାଦୀ ନିପାତ ହୋଇଛନ୍ତି । ଏହି ମୃତ ଆତଙ୍କୀ ମଧ୍ୟରେ କୁଖ୍ୟାତ ୟୁସୁଫ ଆଜହର, ଅବଦୁଲ ମଲିକ ରୌଫ୍, ମୁଦାସିର ଅହମ୍ମଦ ରହିଛନ୍ତି । ଏମାନେ କାନ୍ଦାହାର ବିମାନ ଅପହରଣ ଓ ପୁଲୱାମା ଆଟାକରେ ସଂପୃକ୍ତ ଥିଲେ । ପାକିସ୍ତାନ ପଟୁ ଆସିଥିବା ସବୁ ଡ୍ରୋନ ସଫଳତାର ସହ ଖସାଇ ଦେଇଛୁ । ଏଥିରେ ଭାରତର କିଛି କ୍ଷତି ହୋଇନି ବୋଲି ସୂଚନା ଦେଲେ DGAO ।
ଭାରତର ତିନି ସେନାର DGMO, DGAO, DGNO ପକ୍ଷରୁ ଏକ ମିଳିତ ପ୍ରେସ୍ ବ୍ରିଫିଂ କରାଯାଇ ‘ଅପରେସନ ସିନ୍ଦୂର’ ସମ୍ପର୍କରେ ବିସ୍ତୃତ ସୂଚନା ଦିଆଯାଇଛି । ପହଲଗାମ ନରସଂହାରକୁ ନେଇ ଅପରେସନ ସିନ୍ଦୂର ଆରମ୍ଭ ହୋଇଥିଲା । ସେଥିପାଇଁ କେବଳ ଆତଙ୍କୀ ଠିକଣାକୁ ଟାର୍ଗେଟ କଲୁ । କେବଳ ଟାର୍ଗେଟ ହିଟ୍ ଆମ ଲକ୍ଷ୍ୟ ଥିଲା । ଆତଙ୍କବାଦୀଙ୍କ ୯ଟି କ୍ୟାମ୍ପକୁ ଧ୍ବଂସ କରିଛୁ । ଏଥିରେ ୧୦୦ରୁ ଊର୍ଦ୍ଧ୍ୱ ଆତଙ୍କୀ ନିହତ ହୋଇଛନ୍ତି । ହେଡଲି ଓ କସାବକୁ ସୃଷ୍ଟି କରିଥିବା LeT କ୍ୟାମ୍ପ ଧ୍ବଂସ କରିଛୁ । ଫଟୋ ଦେଖାଇ କିପରି ଧ୍ବଂସ ହୋଇଛି ପ୍ରମାଣ ଦେଇଛନ୍ତି DGAO ଏକେ ଭାରତୀ ।
ଏଥିସହ ମେ ୭ରୁ ୧୦ ମଧ୍ୟରେ ଅପରେସନରେ ୩୫ରୁ ୪୦ ପାକ୍ ସେନା ନିହତ ହୋଇଥିବାର ସୂଚନା ଦେଇଛନ୍ତି DGMO ରାଜୀବ ଘାଇ । ସ୍ଥଳସେନା DGMO ଅସ୍ତ୍ରବିରତି ପ୍ରସଙ୍ଗରେ କହିଛନ୍ତି ଯେ, ପ୍ରଥମେ ପାକିସ୍ତାନୀ DGMO ତାଙ୍କୁ ଅସ୍ତ୍ରବିରତି ପାଇଁ ଫୋନ୍ କରିଥିଲେ । ୧୦ ତାରିଖ ୩ଟା ୩୫ ମିନିଟ୍ ସମୟରେ ଫୋନ୍ କରି ଅସ୍ତ୍ରବିରତି ପାଇଁ ତାଙ୍କ ପକ୍ଷରୁ ପ୍ରସ୍ତାବ ଦେଇଥିଲେ । ଏନେଇ ଆଲୋଚନା ପରେ ସହମତି ହୋଇଥିଲା ୧୨ ତାରିଖ ୧୨ଟାରେ ପୁଣି ଆଲୋଚନା ପାଇଁ ସ୍ଥିର ହୋଇଛି । ତେବେ ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ୩ ସେନା ପ୍ରସ୍ତୁତ । ଦେଶର ସାର୍ବଭୌମତ୍ବ ଓ ଅଖଣ୍ଡତା ବଜାୟ ପାଇଁ ସବୁ କ୍ଷମତା ରହିଛି ବୋଲି କହିଛନ୍ତି DGMO ।
