ସାତ ଦିନ ମଧ୍ୟରେ ଜବାବ ଦେବାକୁ ରାମକୃଷ୍ଣ ଦାସ ମହାପାତ୍ରଙ୍କୁ ନିର୍ଦ୍ଦେଶ
ଦଇତାପତି ସେବକ ରାମକୃଷ୍ଣ ଦାସ ମହାପାତ୍ରଙ୍କୁ କୈଫିୟତ୍ ତଲବ । ନୋଟିସ ପାଇବାର ୭ ଦିନ ମଧ୍ୟରେ କୈଫିୟତ୍ ଦାଖଲ କରିବାକୁ ସମୟ ଦିଆଯାଇଛି । ନିଜର ଦ୍ବନ୍ଦ୍ବାତ୍ମକ ବୟାନ ଦ୍ବାରା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଅଗଣିତ ଭକ୍ତ ତଥା ଶ୍ରଦ୍ଧାଳୁଙ୍କ ମନରେ ବିଭ୍ରାନ୍ତି ସୃଷ୍ଟି ଏବଂ ଶ୍ରୀମନ୍ଦିର ଗରିମାକୁ କ୍ଷୁଣ୍ଣ କରିବା ଅଭିଯୋଗରେ ତାଙ୍କୁ ଏହି ନୋଟିସ୍ ଜାରି କରାଯାଇଛି । ନୋଟିସ୍ ଜାରି କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ସାତ ଦିନ ଭିତରେ ସନ୍ତୋଷ ଜନକ କୈଫିୟତ୍ ହସ୍ତଗତ ନହେଲେ, ଶ୍ରୀଜଗନ୍ନାଥ ମନ୍ଦିର ଆଇନ ୧୯୫୫ ଅନୁଯାୟୀ ଦୃଢ଼ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନୋଟିସରେ କୁହାଯାଇଛି ।ପଶ୍ଚିମବଙ୍ଗ ଦୀଘା ଶ୍ରୀଜଗନ୍ନାଥ ମନ୍ଦିରର ପ୍ରତିଷ୍ଠା ଉତ୍ସବରେ ରାମକୃଷ୍ଣ ଦାସ ମହାପାତ୍ର ଯୋଗ ଦେଇଥିଲେ । ଶ୍ରୀମନ୍ଦିର ଚତୁର୍ଦ୍ଧାମୂର୍ତ୍ତିଙ୍କର ନବକଳେବର ବଳକା ଦାରୁରେ ନିର୍ମିତ ମୂର୍ତ୍ତି ସେହି ଦୀଘା ମନ୍ଦିରକୁ ପ୍ରଦାନ କରିଥିବା ସେ ବଙ୍ଗୀୟ ଗଣମାଧ୍ୟମକୁ କହିଥିବା ଅଭିଯୋଗ ହୋଇଥିଲା । ପରେ ଓଡିଶା ଗଣମାଧ୍ୟମରେ ସେ ଏହାକୁ ଖଣ୍ଡନ କରିଥିବା ସହ ଅନ୍ୟ ନିମ୍ବ କାଠରେ ବିଗ୍ରହ ନିର୍ମାଣ କରି ସେ ନେଇ ନିଜେ ତାକୁ ପ୍ରତିଷ୍ଠା କରିଥିବା କହିଥିଲେ । ନବକଳେବରରେ ସଂଗୃହୀତ ଦାରୁ ମଧ୍ୟରୁ ବଳକା ଦାରୁ ଶ୍ରୀମନ୍ଦିର “ଦାରୁଘର”ରେ ସଂରକ୍ଷିତ ରହିବାର ବିଧି ରହିଥାଏ । ଆବଶ୍ୟକ ସମୟରେ କେବଳ ଶ୍ରୀଜୀଉମାନଙ୍କ ଠାରେ ବ୍ୟବହାରର ବିଧି ତଥା ପରମ୍ପରା ରହିଛି । ଜଣେ ଅଭିଜ୍ଞ ତଥା ବରିଷ୍ଠ ଦଇତାପତି ଭାବେ ସେନେଇ ଅବଗତ ଥାଇ ମଧ୍ୟ ଦାସ ମହାପାତ୍ର ଏଭଳି ବୟାନ ଦେବା ଦ୍ବାରା ଶ୍ରୀଜଗନ୍ନାଥ ପ୍ରେମୀ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବିଭ୍ରାନ୍ତି ସୃଷ୍ଟି ହୋଇଥିବା ନୋଟିସରେ କୁହାଯାଇଛି ।
