ସହଜ‌ରେ ଗରିବ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ

ସହରାଞ୍ଚଳରେ ରହୁଥିବା ଗରିବ ଲୋକଙ୍କ ହାତ ପାହାନ୍ତାରେ ‘ସହଯୋଗ’

ରାଜ୍ୟ ସରକାର ଗରିବ ଲୋକଙ୍କର ସମସ୍ୟାର ସମାଧାନ ସହଜ‌ରେ ‌ଶେଷ କରିବା ପାଇଁ ଆଉ ଏକ ପଦକ୍ଷେପ ନେଇଛନ୍ତି। ଏଥି ପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସ୍ଵତନ୍ତ୍ର ପ୍ରୟାସ କରାଯାଇଛି। ରାଜ୍ୟର ଗରିବ ଲୋକେ ‘ସହଯୋଗ’ ମାଧ୍ୟମରେ ଉପକୃତ ହେବେ। ସହରାଞ୍ଚଳରେ ରହୁଥିବା ଗରିବ ଲୋକଙ୍କ ହାତ ପାହାନ୍ତାରେ ବିଭିନ୍ନ ଯୋଜନାର ଫାଇଦା ପହଞ୍ଚାଇବା ଲାଗି କାମ କରିବ ‘ସହଯୋଗ’। ପ୍ରାରମ୍ଭିକ ଭାବେ ଏଥିରେ ୮ଟି ବିଭାଗର ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ରାସନ୍‌କାର୍ଡ, ଆୟୁଷ୍ମାନ କାର୍ଡ, ଭିନ୍ନକ୍ଷମ ପରିଚୟପତ୍ର, ସୁଭଦ୍ରା, ଶ୍ରମ କାର୍ଡ, ମଧୁବାବୁ ପେନସନ, ସୁକନ୍ୟା ସମୃଦ୍ଧି ଭଳି ୧୩ଟି ଯୋଜନାକୁ ସାମିଲ କରାଯାଇଛି। ଆଗାମୀ ଦିନରେ ଏଥିରେ ଆହୁରି ଅନେକ ଯୋଜନା ସାମିଲ କରାଯିବ ବୋଲି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି। ଟାଟା ଫାଉଣ୍ଡେସନ ଟ୍ରଷ୍ଟ ସହଯୋଗରେ ବିଭିନ୍ନ ପୌରାଞ୍ଚଳରେ ଥିବା ଫ୍ରଣ୍ଟଲାଇନ୍ ୱାର୍କରମାନେ ଏନେଇ ସର୍ଭେ କରିବା ସହ ବିଭିନ୍ନ ଯୋଜନାକୁ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ପହଞ୍ଚାଇବା ଦିଗରେ କାମ କରିବେ। ଆଜିଠାରୁ ୨ ମାସ ଧରି ଚାଲିବ ଏହି ଅଭିଯାନ। ଡୋର ଟୁ ଡୋର ସର୍ଭେ କରିବେ ଫ୍ରଣ୍ଟଲାଇନ୍ ୱାର୍କର। ପ୍ରଥମ ପର୍ଯ୍ୟାୟରେ ଖୋର୍ଦ୍ଧା, କଟକ, ଭଦ୍ରକ, ଗଞ୍ଜାମ, ସୁନ୍ଦରଗଡ଼, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ ଭଳି ୮ଟି ଜିଲ୍ଲାର ୪୪ ପୌରାଞ୍ଚଳରେ କାର୍ଯ୍ୟକାରୀ ହେବ ସହଯୋଗ।