ଓଲଟିଲା ବସ୍; ଜଣେ ମୃତ, ୫ ଆହତ
ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟିଲା ବସ୍। ଦୁର୍ଘଟଣାରେ ଜଣେ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବ ବେଳେ ୫ରୁ ଅଧିକ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। ସୁନ୍ଦରଗଡ଼ ଜିଲ୍ଲା ଦୁଲିଙ୍ଗା ସ୍ଥିତ ଏନଟିପିସି କୋଇଲା ଖଣି ନିକଟରେ ଏହି ଦୁର୍ଘଟଣା ଘଟିଛି। ଆହତମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ବସଟି ଶ୍ରମିକମାନଙ୍କୁ ହେମଗିରି ଥାନା ଡୁଲିଙ୍ଗା କୋଇଲା ଖଣିକୁ ନେଇ ଯାଉଥିଲା। ଏହି ସମୟରେ ବସଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଦୁର୍ଘଟଣାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୫ରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ମେଡିକାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣାରେ ଶ୍ରମିକଙ୍କ ମୃତ୍ୟୁ ପରେ ଉପଯୁକ୍ତ କ୍ଷତି ପୂରଣ ଦାବି ନେଇ ଶ୍ରମିକମାନେ କାର୍ଯ୍ୟବନ୍ଦ କରି ଆନ୍ଦୋଳନ ଜାରି ରଖିଛନ୍ତି। ଘଟଣା ସ୍ଥଳରେ ଉତ୍ତେଜନା ଲାଗି ରହିଥିବାରୁ ପୋଲିସ ମୁତୟନ କରାଯାଇଛି।
