ହାଇକୋର୍ଟରୁ ସୌରିନଙ୍କୁ ଅଗଷ୍ଟ ୨୫ ଯାଏ ଅନ୍ତରୀଣ ସୁରକ୍ଷା

ସୌରିନ ଭଟ୍ଟଙ୍କୁ ସାମାନ୍ୟ ଆଶ୍ବସ୍ତି

ଦୁଷ୍କର୍ମ ଅଭିଯୋଗ ମାମଲାରେ ଫେରାର କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କୁ ମିଳିଛି ସାମାନ୍ୟ ଆଶ୍ବସ୍ତି । ହାଇକୋର୍ଟରୁ ଅଗଷ୍ଟ ୨୫ ଯାଏ ଅନ୍ତରୀଣ ସୁରକ୍ଷା ମିଳିଛି। ସୌରିନ ଭଟ୍ଟଙ୍କୁ ତଦନ୍ତରେ ସହଯୋଗ କରିବାକୁ ଓ ଥାନାରେ ହାଜର ହେବାକୁ କୁହାଯାଇଛି। ଏହାଛଡ଼ା ପୀଡ଼ିତଙ୍କ ୧୬୪ ବୟାନ ରେକର୍ଡ ହେବ। ସୌରିନ ଭଟ୍ଟ ଜାମିନ ଲୋଡି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। କଟକ ମହିଳା ଥାନାରେ ରୁଜୁ ମାମଲାରେ ଆଗୁଆ ଜାମିନ ପାଇଁ ଆଜି ସୌରିନ ହାଇକୋର୍ଟରେ ଆବେଦନ ଦାୟର କରିଥିଲେ। ସେ ନିର୍ଦ୍ଦୋଷ ଓ ତାଙ୍କ ବିରୋଧରେ ଥିବା ଅଭିଯୋଗ ଭିତ୍ତିହୀନ ଓ ଉଦ୍ଦେଶ୍ୟମୂଳକ ବୋଲି ଆବେଦନରେ ଦର୍ଶାଇ ସୌରିନ ଆଗୁଆ ଜାମିନ ପ୍ରଦାନ ପାଇଁ ପ୍ରାର୍ଥନା କରିଥିଲେ। କଟକ ମହାନଗର ନିଗମ ଅନ୍ତର୍ଗତ ଜଗତପୁର ସାଇ ବିହାରରେ ରହୁଥିବା ଜଣେ ବ୍ୟାଙ୍କ କର୍ମଚାରୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ସୌରିନ ବାରମ୍ବାର ଦୁଷ୍କର୍ମ କରିବା ଓ ଟଙ୍କା ହଡ଼ପ୍ କରିବା ଭଳି ସଙ୍ଗୀନ ଅଭିଯୋଗ ମହିଳା ଥାନାରେ ହୋଇଥିଲା। ଏହାପରେ ପୁଲିସ ସିଡିଏ ସେକ୍ଟର ୬ରେ ଥିବା ‌ସୌରିନଙ୍କର ଭଡ଼ା ଘରେ ଚଢ଼ଉ କରିଥିଲା।