ଦେଶବାସୀଙ୍କୁ କଷ୍ଟ ଦେଇଥିବାରୁ କ୍ଷମା ମାଗୁଛି: ସୁଲତା ଦେଓ
ଜମ୍ମୁ କଶ୍ମୀରର ଅନନ୍ତନାଗ ଜିଲ୍ଲା ପହଲଗାମରେ ଗତ ୨୨ ତାରିଖ ଦିନ ଆତଙ୍କବାଦୀ ଆକ୍ରମଣ ନେଇ ବୟାନବାଜି କରିଥିବା ବିଜୁ ଜନତା ଦଳ (ବିଜେଡି)ର ରାଜ୍ୟସଭା ସାଂସଦ ସୁଲତା ଦେଓ କ୍ଷମା ମାଗିଛନ୍ତି। ତାଙ୍କର ବୟାନ ଗଣମାଧ୍ୟମରେ ପ୍ରକାଶିତ ହେବା ଏବଂ ନିଜ ଦଳର ନେତାଙ୍କ ସମେତ ରାଜ୍ୟ ସରକାରଙ୍କ ମନ୍ତ୍ରୀ ସମାଲୋଚନା କରିବା ପରେ ସୁଲତା ଦେଓ କ୍ଷମା ପ୍ରାର୍ଥନା କରିଛନ୍ତି। ସେ କହିଛନ୍ତି, ଯଦି ମୋ ବୟାନ ଦେଶବାସୀଙ୍କୁ ଉପହାସିତ କରିଛି ଏଥି ପାଇଁ ମୁଁ ଦୁଃଖ ପ୍ରକାଶ କରୁଛି। କ୍ଷମା ପ୍ରାର୍ଥନା କରୁଛି। ସୂଚନାଯୋଗ୍ୟ, ସୁଲତା ଦେଓ କହିଥିଲେ ଯେ, ପହଲଗାମରେ ଆତଙ୍କବାଦୀଙ୍କ ଆକ୍ରମଣ ଘଟଣାରେ ଯେତିକି ସମୟରେ ଲୋକେ ମରିଛନ୍ତି ସେତିକି ସମୟରେ କାହାର ଧର୍ମ ପଚାରି ହେବନାହିଁ। କୌଣସି ଆତଙ୍କବାଦୀ କେବେ ଧର୍ମ ଓ ଜାତି ସହ ବନ୍ଧା ନଥାନ୍ତି। ଗୋଟିଏ ପଟେ ହିନ୍ଦୁ କି ନୁହେଁ ପଚାରି ଆତଙ୍କବାଦୀ ଗୁଳି ମାରିଚାଲିଥିଲେ ବୋଲି ମୃତକଙ୍କ ପରିବାର କହୁଥିବା ବେଳେ ସାଂସଦ ସୁଲତାଙ୍କ ବିବାଦୀୟ ମନ୍ତବ୍ୟ ନେଇ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି।
ସୁଲତାଙ୍କ ମନ୍ତବ୍ୟ ନେଇ ବିଜେଡିର ବରିଷ୍ଠ ନେତା ଦେବୀପ୍ରସାଦ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି। ଶ୍ରୀ ମିଶ୍ର କହିଛନ୍ତି, ଯେଉଁମାନେ ଉପହାସ କରୁଛନ୍ତି ସେମାନେ ନିଜେ ଉପହାସ ଯୋଗ୍ୟ। ତାଙ୍କୁ ଲୋକମାନେ ଉପହାସ କରିବା କଥା। ଦୁଃଖର କଥା ଜଣଙ୍କର ଦୁଃଖ ବେଳେ ଆଦୌ ଉପହାସ କରିବା ଉଚିତ ନୁହେଁ। ଆମ ସଂସ୍କୃତି ଆମକୁ ଏହା ଶିକ୍ଷା ଦେଇନି। ଏହିଭଳି କଥା ଆଦୌ ଶୋଭନୀୟ ନୁହେଁ ବୋଲି କହିବା ସହ ସାଂସଦଙ୍କ ବୟାନକୁ ସେ ନିନ୍ଦା କରିଛନ୍ତି।
